Categories: ଖେଳ

ମ୍ୟାକ୍ସଓ୍ବେଲଙ୍କ ଡବଲ ସେଞ୍ଚୁରୀ, ସେମିଫାଇନାଲରେ ଅଷ୍ଟ୍ରେଲିଆ…

ମୁମ୍ବାଇ,୭।୧୧ : ପ୍ରତିକୂଳ ପରିସ୍ଥିତିରେ ଖେଳାଯାଇଥିବା ଅପରାଜିତ ୨୦୧ ରନର ଗ୍ଲେନ ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ମାଧ୍ୟମରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ପରାସ୍ତ କରି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ସେମିଫାଇନାଲ ପାଇଁ ଟିକେଟ ପାଇଛି। ୯ ଟି ମ୍ୟାଚରେ ଏହା ଅଷ୍ଟ୍ରେଲିଆର ଷଷ୍ଠ ବିଜୟ ଏବଂ ଦଳ ୧୨ ପଏଣ୍ଟ ହାସଲ କରିଛି।

ଏକ ସମୟରେ ଅଷ୍ଟ୍ରେଲିଆ ୯୧ ରନ ସ୍କୋରରେ ୭ ୱିକେଟ ହରାଇଥିଲା। ଏହା ସତ୍ତ୍ୱେ ମ୍ୟାକ୍ସୱେଲ ହାର ମାନି ନ ଥିଲେ ଏବଂ ଡବଲ ସେଞ୍ଚୁରୀକରି ଅଷ୍ଟ୍ରେଲିଆକୁ ଏକ ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ। ୨୯୨ ରନର ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୪୬.୫ ଓଭରରେ ୭ ୱିକେଟ ପାଇଁ ୨୯୩ ରନ ସଂଗ୍ରହ କରିଥିଲା। ମ୍ୟାକ୍ସୱେଲ ୧୨୮ ବଲରେ ଅପରାଜିତ ୨୦୧ ରନ ସ୍କୋର କରିଥିଲେ ଯେଉଁଥିରେ ୨୧ ଚୌକା ଓ ୧୦ ଛକା ଅନ୍ତର୍ଭୁକ୍ତ ଥିଲା। ଅଧିନାୟକ ପ୍ୟାଟ କମିନ୍ସ ୬୮ ବଲରୁ ୧୨ ରନ ସଂଗ୍ରହ କରିଥିଲେ। ମ୍ୟାକ୍ସୱେଲ ତାଙ୍କର ଲଢୁଆ ଇନିଂସ ପାଇଁ ମ୍ୟାନ ଅଫ ଦ ମ୍ୟାଚ ଭାବରେ ମନୋନୀତ ହୋଇଥିଲେ।

ଟାର୍ଗେଟକୁ ଗୋଡ଼ାଇବା ପାଇଁ ସ୍ଥିର କରିଥିବା ଅଷ୍ଟ୍ରେଲିଆ ଦଳ ବହୁତ ଖରାପ ଆରମ୍ଭ କରିଥିଲା। ଦଳ ୪୯ ସ୍କୋରରେ ୪ ଟି ୱିକେଟ ହରାଇଥିଲା। ନବିନ ଉଲ ହକ ଟ୍ରାଭିସ ହେଡଙ୍କୁ ଖାତା ଖୋଲିବାକୁ ମଧ୍ୟ ଦେଇ ନ ଥିଲେ। ମିଚେଲ ମାର୍ଶ ଏଲବିଡବ୍ଲୁ ହୋଇ ପାଭିଲିୟନ ଫେରିଥିଲେ। ୧୧ ବଲରେ ୨୪ ରନ ସ୍କୋର କରିବା ପରେ ମାର୍ଶ ଆଉଟ ହୋଇଥିଲେ। ବିସ୍ଫୋରକ ଓପନର୍‌ ଡେଭିଡ ୱାର୍ନର ୧୮ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲରେ ଉମରଜାଇ ଜୋଶ ଇଂଲିଶଙ୍କୁ ତାଙ୍କ ଖାତା ଖୋଲିବାକୁ ମଧ୍ୟ ଦେଇ ନ ଥିବାବେଳେ ମାର୍ନୁସ ଲାବୁସାଗ୍ନେ ୧୪ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ ୬ ରନ ସ୍କୋର କରିବା ପରେ ରସିଦ ଖାନଙ୍କ ଶିକାର ହୋଇଥିଲେ। ରସିଦ ଷ୍ଟାର୍କଙ୍କୁ ପାଭିଲିୟନକୁ ପଠାଇଥିଲେ।

Share