ଆମେରିକାର ନୂଆ ନେତା ହୋଇପାରିବି

ଓ୍ବାଶିଂଟନ,୨୧ା୧: ଆଗଧାଡ଼ିର ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ୍‌ ନେତ୍ରୀ ନିକ୍କି ହାଲି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ସାମିଲ ହେବାକୁ ଯାଉଛନ୍ତି। ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେବାବେଳେ ୫୧ ବର୍ଷୀୟା ନିକ୍କି ନିଜେ ଏନେଇ ସଙ୍କେତ ଦେଇଛନ୍ତି। ଦେଶକୁ ଏକ ନୂଆ ଦିଗରେ ଅଗ୍ରସର କରାଇବା ପାଇଁ ସେ ‘ନୂଆ ନେତା’ ହୋଇପାରିବେ ବୋଲି ମନେକରୁଥିବା କହିଛନ୍ତି। ୮୦ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କୁ ଆମେରିକା ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି କରାଇବାକୁ ଚାହିଁବ ନାହିଁ। ତେଣୁ ନିଜ ସମ୍ଭାବ୍ୟ ପ୍ରାର୍ଥତ୍ତ୍ୱ ପାଇଁ ଉଦ୍ୟମ ଚଳାଇଥିବା ସାଉଥ୍‌ କାରୋଲିନାର ପୂର୍ବତନ ଗଭର୍ନର ତଥା ଜାତିସଂଘରେ ଆମେରିକାର ପ୍ରାକ୍ତନ ପ୍ରତିନିଧି ନିକ୍କି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳରେ ନିକ୍କି ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଳଙ୍କୃତ କରିଥିଲେ। ୨୦୧୮ ଅକ୍ଟୋବରରେ ସେ ଟ୍ରମ୍ପ୍‌ ପ୍ରଶାସନରୁ ଇସ୍ତଫା ଦେଇଥିଲେ। ୨୦୨୪ ନଭେମ୍ବର ୫ରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ପୁନର୍ବାର ଲଢ଼ିବା ପାଇଁ ଟ୍ରମ୍ପ୍‌ ଆଗ୍ରହୀ ଥିବାବେଳେ ଫ୍ଲୋରିଡା ଗଭର୍ନର ରୋ ଡିସାଣ୍ଟିସ୍‌ ମଧ୍ୟ ମଇଦାନକୁ ଓହ୍ଲାଇବା ଲାଗି ସବୁ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି।

Share