ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଇସାରା, ଏନ୍‌ଡିଏକୁ ଫେରିପାରେ ଉଦ୍ଧବ ଶିବ ସେନା

ନୂଆଦିଲ୍ଲୀ, ୫ା୬: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଛୋଟ ଛୋଟ ଦଳଗୁଡ଼ିକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍‌ଡିଏର ବୈଠକରେ ଯୋଗଦେବାକୁ ଦିଲ୍ଲୀ ପହଞ୍ଚିଛନ୍ତି। ଅନ୍ୟପଟେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଦିଲ୍ଲୀ ପହଞ୍ଚିବା ନେଇ ଜଣାପଡ଼ିଛି। ଏଥି ମଧ୍ୟରେ ମହାରାଷ୍ଟ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଦ୍ଧବ ଶିବସେନାର ମୁଖ୍ୟ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ରଣନୀତି ବଦଳାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିଲ୍ଲୀରେ ବସିବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଉଦ୍ଧବ ସାମିଲ୍‌ ହେବେ ନାହିଁ ବୋଲି ଜଣାପଡ଼ିଛି।

ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଇସ୍ତଫା ଦେବାକୁ ଚାହୁଁଛନ୍ତି। ୨୦୧୪ରୁ ୨୦୧୯ ଯାଏ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଭାଜପା ନେତା ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଶୀର୍ଷ ନେତୃବନ୍ଦଙ୍କୁ ଅନୁରୋଧ କରିଛନ୍ତି। ତାଙ୍କୁ ଦଳ ପାଇଁ ବାହାରୁ କାମ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ୍‌ ଇସ୍ତଫା ଦେବାକୁ ଚାହୁଁଛନ୍ତି। ୨୦୧୯ରେ ତାଙ୍କ ଦଳ ମହାରାଷ୍ଟ୍ରର ୪୮ ଆସନରୁ ୨୩ରେ ଜିତିଥିଲା। ହେଲେ ଚଳିତ ବର୍ଷ ଏହା ୯ରେ ସୀମିତ ରହିଛି।

କହିରଖୁଛୁ, ଭାଜପା ନିର୍ବାଚନରେ ମାତ୍ର ୨୪୦ ଆସନ ଜିତିଥିବା ବେଳେ ବହୁମତ ପାଇଁ ବହୁ ପଛରେ ରହିଯାଇଛି। ଦଳକୁ ସରକାର ଗଠନ ପାଇଁ ଆଉ ୩୨ ଆସନର ଆବଶ୍ୟକତା ଥିବା ବେଳେ ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକ ଉପରେ ଦଳ ନିର୍ଭର କରୁଛି।

Share