ନଷ୍ଟ ନ ହେଉ ପୁସ୍ତକମେଳାର ପବିତ୍ରତା

ଡ.ପ୍ରଫୁଲ୍ଲ କୁମାର ସାହୁ

ବହି ମଣିଷର ବନ୍ଧୁ। ବୌଦ୍ଧିକ ଚେତନାର ସହଚର। କୈଶୋରରେ ବୌଦ୍ଧିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ ବହି। ଯୌବନର ସାମ୍ରାଜ୍ୟକୁ ଯୋଗାଏ ଜ୍ଞାନଦୀପ୍ତ ପ୍ରେରଣା। ପ୍ରୌଢ଼ାବସ୍ଥାରେ ବତାଏ ସମସ୍ୟା ସମାଧାନର ସୂତ୍ର। ବାର୍ଦ୍ଧକ୍ୟରେ ବିଷାଦରୁ ମୁକ୍ତି ପାଇଁ ପୁସ୍ତକ ହିଁ ସର୍ବୋତ୍ତମ ଅବଲମ୍ବନ। ତେଣୁ ବହି କିଛି ସାଧାରଣ ବନ୍ଧୁ ନୁହେଁ,ଏହା ସବୁ ବର୍ଗର ଓ ସବୁ ବୟସର ଲୋକଙ୍କ ପାଇଁ ସର୍ବକାଳୀନ ଓ ସର୍ବୋତ୍ତମ ବନ୍ଧୁ।
ପୁସ୍ତକରେ ଥାଏ ସିଦ୍ଧିର ମନ୍ତ୍ର, ଯାହା ବୁଦ୍ଧି, ବିଚାର ଓ ବିବେକକୁ ଶାଣିତ କରେ ଏବଂ ବଦଳେଇଦିଏ ପାଠକର ଦୃଷ୍ଟିଭଙ୍ଗୀ। ଇତିହାସ କହେ ଗୋଟେ ଗୋଟେ ଭଲ ବହିର ପ୍ରଭାବରେ ବଦଳିଯାଇଛି ପୃଥିବୀର ବହୁ ବିଶିଷ୍ଟ ଲୋକଙ୍କ ଜୀବନର ଗତିପଥ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପୁସ୍ତକ ଶୁଣାଏ ସଦ୍ଭାବନାର ମନ୍ତ୍ର। ଗୋଟିଏ ଦେଶ ଓ ଜାତିର ବୌଦ୍ଧିକ ସମ୍ପତ୍ତି। ଏହି ଦୃଷ୍ଟିରୁ ପୁସ୍ତକ ମେଳାକୁ କୁହାଯାଏ ସାହିତ୍ୟ ସଂସ୍କୃତିର ମେଳନ ବା ଏକ ବୌଦ୍ଧିକ ଆନ୍ଦୋଳନ। ଜ୍ଞାନର ନୂଆ ନୂଆ ଦିଗନ୍ତ ସହିତ ପରିଚିତ କରାଇବା ନିମନ୍ତେ ଉଦ୍ଦିଷ୍ଟ ଏହି ମେଳା ଆମ ଦେଶର କଲିକତା ସହରରେ ପ୍ରଥମେ ଆରମ୍ଭ ହୋଇଥିଲା(୧୯୭୬) ‘ନ୍ୟାଶନାଲ ବୁକ୍‌ ଫେୟାର’ ବା କଲିକତା ବହିମେଳା ନାମରେ। ଜନ୍ମର ମାତ୍ର ତିନିବର୍ଷ ପରେ ଆୟୋଜକମାନଙ୍କ ଅହଂ ଲଢ଼େଇରେ ପେଷି ହୋଇ ଦୁଇଫାଳ ହୋଇଗଲା କଲିକତା ବହିମେଳା। ଏହାକୁ ସହଜରେ ଗ୍ରହଣ କରିପାରିଲେନି ପଶ୍ଚିମବଙ୍ଗର ସାହିତି୍ୟକ ଓ ସଂସ୍କୃତିପ୍ରେମୀ ବୁଦ୍ଧିଜୀବୀ। ଲୋକଙ୍କ ଉଦ୍‌ବେଗକୁ ଅନୁଭବ କରି ଏଥିରେ ହସ୍ତକ୍ଷେପ କଲେ ରାଜ୍ୟ ସରକାର। ଫଳରେ ଦୁଇମେଳା ପୁଣି ମିଶିଗଲେ (୧୯୯୨) ଏବଂ ଜନ୍ମନେଲା ଏକକ ଅନୁଷ୍ଠାନ ‘ମିଲନ ମେଳା’, ଯାହା ଏବେ ଏସିଆର ସର୍ବବୃହତ୍ତମ ତଥା ପୃଥିବୀର ତୃତୀୟ ବୃହତ୍ତମ ପୁସ୍ତକ ମେଳା ଭାବେ ପରିଚିତ।
କଲିକତା ପୁସ୍ତକମେଳାର ସଫଳତା ଦେଖି ଆମ ରାଜ୍ୟରେ ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ ଓ ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା(୧୯୮୫) ଭୁବନେଶ୍ବରର ପୁସ୍ତକମେଳା। ପରବର୍ତ୍ତୀ ସମୟରେ ଆୟୋଜକମାନଙ୍କ ମଧ୍ୟରେ ପତିଆରା ଲଢ଼େଇ ଯୋଗୁ ଆରମ୍ଭ ହେଲା ବିଭାଜନ ପର୍ବ। ଏହି କାରଣରୁ ଭୁବନେଶ୍ବରରେ ଆୟୋଜିତ ହେଲା ରାଜଧାନୀ ପୁସ୍ତକମେଳା, କଳିଙ୍ଗ ପୁସ୍ତକ ମେଳା,ଏକାମ୍ର ପୁସ୍ତକମେଳା ଆଦି ଅନେକ ମେଳା। ଏସବୁକୁ ଏକାଠି କରି ଗୋଟିଏ ବୃହତ୍‌ ମେଳାର ଆୟୋଜନ ନିମନ୍ତେ ବୁଦ୍ଧିଜୀବୀମାନେ ପ୍ରୟାସ ଆରମ୍ଭକଲେ ଏବଂ ତାହା ସଫଳ ହେଲା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ। ୨୦୧୯ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସବୁ ମେଳାକୁ ମିଶାଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଲା ବୃହତ୍‌ ରାଜ୍ୟସ୍ତରୀୟ ପୁସ୍ତକ ମେଳା ‘ଅକ୍ଷର’।
ପୁସ୍ତକମେଳାକୁ କୁହାଯାଏ ଜ୍ଞାନଯଜ୍ଞ, ଯାହା ଜ୍ଞାନ କର୍ମକୁ ଦେଖାଏ ଠିକ୍‌ ରାସ୍ତା। ଏହି ଯଜ୍ଞରେ ଦେଶ ବିଦେଶର ବହୁ ପ୍ରକାଶକ ଯୋଗଦିଅନ୍ତି ଏବଂ ଏଠାରେ ଉପଲବ୍ଧ ହୁଏ ସବୁ ବର୍ଗର ପାଠକଙ୍କ ପାଇଁ ଉପାଦେୟ ବହି, ଯାହା ଏକକାଳୀନ ମିଳିବା ସମ୍ଭବ ହୁଏନି ନିର୍ଦ୍ଦିଷ୍ଟ କେଉଁ ବହି ଦୋକାନରେ। ଏତଦଭିନ୍ନ ଗ୍ରାହକଙ୍କୁ ମିଳୁଥିବା ଆକର୍ଷଣୀୟ ରିହାତି ମଧ୍ୟ ପୁସ୍ତକମେଳାର ଅନ୍ୟ ଏକ ବିଶେଷତ୍ୱ। କଥାରେ ଅଛି ‘ଘୋର୍‌ କୀର୍ତ୍ତନ ବେଳେ ମୂକ ବି ଆଁ କରିଦିଏ,’ କାରଣ ସେ ବି କିଛି ଗାଇବ। ଅର୍ଥାତ ହାତ ପାହାନ୍ତାରେ ଓ ରିହାତି ଦରରେ ଦୁର୍ଲ୍ଲଭ ବହି ଉପଲବ୍ଧ ହେଉଥିବାରୁ ନ କିଣିବା ଲୋକ ବି ଇଚ୍ଛାକରେ ମନପସନ୍ଦର କିଛି ବହି କିଣିବାପାଇଁ।
ସାହିତ୍ୟାନୁରାଗ ସୃଷ୍ଟି କରିବା ପୁସ୍ତକ ମେଳାର ଅନ୍ୟତମ ଲକ୍ଷ୍ୟ। ତାକୁ ହିଁ ଦୃଷ୍ଟିରେ ରଖି ସେଠାରେ ଆୟୋଜିତ ସାହିତ୍ୟ ସଭାକୁ କବି, ଲେଖକ, ଗବେଷକ, ସମାଲୋଚକ, ସ୍ତମ୍ଭକାରମାନେ ଆମନ୍ତ୍ରିତ ହୋଇ ଆସନ୍ତି ଏବଂ ସାହିତ୍ୟମୁଖର ହୋଇଉଠେ ପୁସ୍ତକମେଳାର ପ୍ରତିଟି ସନ୍ଧ୍ୟା। ଭାଷା,ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ସାଙ୍ଗକୁ ଆୟୋଜିତ ହୁଏ କବିତାପାଠ, କବି ସମ୍ମିଳନୀ, ଶିଶୁମେଳା, ପୁସ୍ତକ ଉନ୍ମୋଚନ ତଥା ପୁରସ୍କାର ପ୍ରଦାନ ଆଦି ଅନେକ କାର୍ଯ୍ୟକ୍ରମ। ଗୋଟିଏ ମଞ୍ଚରେ ଲେଖକ, ପାଠକ, ପ୍ରକାଶକ, ବିକ୍ରେତା, ମୁଦ୍ରାକର, ଚିତ୍ରଶିଳ୍ପୀ ଆଦି ବିଭିନ୍ନ ବିଭାଗର ପ୍ରତିନିଧି ଏକାଠି ହୋଇ ଖୋଜନ୍ତି ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନର ସୂତ୍ର।
ଜିଜ୍ଞାସୁ ପାଠକଙ୍କ ପାଇଁ ବହିମେଳାର ଆକର୍ଷଣ ଅନନ୍ୟ। ସେମାନେ ବହି ମେଳା ସମୟକୁ ଅପେକ୍ଷାକରି ରହନ୍ତି ମନପସନ୍ଦର ବହି କିଣିବା ଲକ୍ଷ୍ୟରେ। ଦିନଥିଲା ବଜାରକୁ ବହି ଆସିବା ଆଗରୁ ତାକୁ ଖୋଜି ବସୁଥିଲେ ପୁସ୍ତକପ୍ରେମୀ। ସେମାନେ ବୁଝିଥିଲେ ଗ୍ରନ୍ଥର ଗୁରୁତ୍ୱ ଓ ପଠନର ଉପଯୋଗିତା। ସେଥିପାଇଁ ସାମାନ୍ୟ ସମୟ ପାଇବା ମାତ୍ରେ ହାତରେ ବହି ବା ପତ୍ରିକାଖଣ୍ଡେ ଧରି ବସିପଡୁଥିଲେ ଆଗ୍ରହରେ। ଭ୍ରମଣ ବେଳେ ସାଙ୍ଗରେ ନେଉଥିଲେ ବହି। ଅନେକଙ୍କ ପାଇଁ ବହି ଥିଲା ବଞ୍ଚିବାର ସଞ୍ଜିବନୀ। ଭଲ ବହିଟିଏ ପାଇଲେ ସେମାନେ ଭୁଲି ଯାଉଥିଲେ ଭୋକଶୋଷ। ମନୋରଞ୍ଜନ ତଥା ଜ୍ଞାନ ଆହରଣ ପାଇଁ ଏବେ ଯୁବପିଢ଼ିର ପ୍ରଥମ ପସନ୍ଦ ହୋଇଛି ଇଣ୍ଟରନେଟ୍‌। ମାତ୍ର ତା’ କେବେ ବହିର ବିକଳ୍ପ ନୁହେଁ। କାରଣ ବହିର କାଗଜପୃଷ୍ଠାରେ ଥାଏ ଏକ ଅଲଗା ଆବେଦନ। ନିଆରା ସମ୍ମୋହନ। ବର୍ଣ୍ଣାଡ ଶ’ କହନ୍ତି, ବହି ସର୍ବୋତ୍ତମ, ସହଜଲବ୍ଧ ଓ ଚିରସ୍ଥାୟୀ ଆନନ୍ଦବୋଧର ଉତ୍ସ। ଇଣ୍ଟରନେଟରୁ ତଥ୍ୟ ମିଳେ, କିନ୍ତୁ ତତ୍ତ୍ବ ନୁହେଁ। ଇଣ୍ଟରନେଟରୁ ମିଳିପାରେ ରାମାୟଣ ସମ୍ପର୍କରେ ଅନେକ ତଥ୍ୟ। ମାତ୍ର ରାମଚନ୍ଦ୍ର କାହିଁକି ମର୍ଯ୍ୟାଦାପୁରୁଷ- ଏ ପ୍ରଶ୍ନର ଉତ୍ତର ନାହିଁ ଇଣ୍ଟରନେଟ ପାଖରେ। ଏହା କେବଳ ଜାଣିହେବ ସଦ୍‌ଗ୍ରନ୍ଥ ପ୍ରଣେତାମାନଙ୍କ ବିଚାର ଓ ମନନ ଅଧ୍ୟୟନ କରିବା ପରେ। ସେଥିପାଇଁ କୁହାଯାଏ ଜୀବନକୁ ଜାଣିବା ପାଇଁ, ଜଗତକୁ ବୁଝିବା ପାଇଁ ପୁସ୍ତକ ହିଁ ଜ୍ଞାନର ବତିଘର। ପୁସ୍ତକ ଅଧ୍ୟୟନ ଦ୍ବାରା ଜିଜ୍ଞାସା ବଢ଼େ ଓ ଜାଗ୍ରତ ହୁଏ ଚେତନା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ପରିବାର ପାଇଁ ବହି ଏକ ଅମୂଲ୍ୟ ସମ୍ପଦ। ଯେଉଁ ପରିବାରରେ ବହି ନାହିଁ, ସେ ପରିବାର ଧନୀ ହେଲେ ବି ଉନ୍ନତ ନୁହେଁ। ସେ ଘର ଗୋଟେ ସୁରକ୍ଷା ଅଟ୍ଟାଳିକା ହୋଇପାରେ,ମାତ୍ର ତାହା ଗୋଟେ ଆତ୍ମା ବିହୀନ ଶରୀର ପରି। ଏହି ଦୃଷ୍ଟିରୁ ଯେଉଁ ଶିକ୍ଷିତ ଲୋକମାନେ ବହି ପଢ଼ନ୍ତି ନାହିଁ ଓ ସାମର୍ଥ୍ୟ ଥାଇ ବି ବହି କିଣନ୍ତି ନାହିଁ,ସେମାନେ ଅଶିକ୍ଷିତ ଲୋକଙ୍କ ସହ ସମାନ। କାରଣ ପଠନାଭ୍ୟାସ କମିଗଲେ ସଙ୍କୁଚିତ ହୋଇଯିବ ଆମ ଦୃଷ୍ଟିକୋଣ। ଆଉ ରହିବନି ଭାବବ୍ୟକ୍ତ କରିବାର ସାମର୍ଥ୍ୟ। ଲେଖକମାନେ ବି ଜାଣିରଖିବା ଦରକାର ଧାଡିଏ ଉପାଦେୟ ଲେଖା ଲେଖିବାକୁ ହେଲେ, ପଢ଼ିବାକୁ ହୁଏ ଗାଡ଼ିଏ ଲେଖା। ଅଧିକ ନ ପଢ଼ିଲେ ସ୍ଥାଣୁ ହୋଇଯିବ ଚିନ୍ତନ ପ୍ରକ୍ରିୟା। ଆଉ ରହିବନି ଲେଖକୀୟ ବର୍ଣ୍ଣନା ସହିତ ପାଠକୀୟ କଳ୍ପନାର ସମନ୍ବୟ। ବହି କିଣି ନ ପଢ଼ିଲେ ସଙ୍କଟ ଭିତରକୁ ଠେଲି ହୋଇଯିବ ମୁଦ୍ରଣ ଶିଳ୍ପ। ଆଉ ରହିବନି ପୁସ୍ତକମେଳାର ଆଦର।
ବହିମେଳାର ଆଦର କମିବାର ଆଉ ଏକ ପ୍ରମୁଖ କାରଣ ହୋଇପାରେ ସାଙ୍ଗଠନିକ କ୍ଷେତ୍ରରେ ପତିଆରା ଲଢ଼େଇ। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଫଳରେ ରାଜଧାନୀରେ ଏକାଧିକ ପୁସ୍ତକ ମେଳା ପରିବର୍ତ୍ତେ ଏକକ ମେଳା ‘ଅକ୍ଷର’ ଅନୁଷ୍ଠିତ ହେଉଛି ସତ, ହେଲେ ରାଜ୍ୟର ଅନ୍ୟାନ୍ୟ ସହରରେ ତୁଟୁନି ବିବାଦ। ଭଦ୍ରକ ଭଳି ଛୋଟ ଛୋଟ ସହରରେ ସ୍ବଳ୍ପ ସମୟ ବ୍ୟବଧାନରେ ବାଦବୁଦିଆରେ ଅନୁଷ୍ଠିତ ହେଉଛି ଏକାଧିକ ପୁସ୍ତକ ମେଳା। ମେଳାରେ ବହି ବ୍ୟତୀତ ବୃଦ୍ଧିପାଉଛି ଅନ୍ୟାନ୍ୟ ଜିନିଷର ବିପଣୀ। ବୁଲାବିକାଳି ଓ ପେଁକାଳିବାଲାର ଶବ୍ଦ ସୃଷ୍ଟି କରୁଛି ବାଲିଯାତ୍ରାର ଭ୍ରମ। ଏହାଦ୍ବାରା ନଷ୍ଟ ହେଉଛି ମେଳାର ମହତ୍ତ୍ବ ଓ ପବିତ୍ରତା।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ,
ମୋ- ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri