Categories: ଖେଳ

ସିଙ୍ଗଲ୍ସ ସେମିରେ ମାୟା, ଶିବତେଜ

ଭୁବନେଶ୍ୱର, ୧୩।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ବାଳିକା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ମାୟା ରାଜେଶ୍ୱରନ ରେବତୀ ଓ ଶିବ୍‌ତେଜ ଶିର୍‌ଫୁଲେ। ବୁଧବାର ଅନୁଷ୍ଠିତ ବାଳିକା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ମାୟା ହଂକଂର ନିତ୍ୟା ବାଲକ୍ରିଷ୍ଣା ମଧୁରୀଙ୍କୁ ୬-୧, ୬-୦ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ବାଳକ କ୍ୱାର୍ଟର ଫାଇନାଲରେ ଶିବ୍‌ତେଜ ଥାଇଲାଣ୍ଡର ଧର୍ମା ପାଣ୍ଟାରାଟର୍ନଙ୍କୁ ୧-୬, ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ବାଳକ ବିଭାଗର ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ କୋରିଆର ଓନମିନ୍‌ କିମ୍‌, ହଂକଂର ଆଲେକ୍ସ ଲାପ୍‌ ହାଙ୍ଗ ହୁଇ ଓ ପାକିସ୍ତାନର ଅବୁବାକର ତଲ୍‌ହା ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ସେହିପରି ମାୟାଙ୍କ ବ୍ୟତୀତ ବାଳିକା ବିଭାଗରେ କୋରିଆର ଜିୟୁନ ଓ’, ୟେରି ହଂ ଓ କାଜାଖସ୍ତାନର ଇଭା କୋରିଶେଭା ବିଜୟୀ ହୋଇ ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ବାଳକ ଡବଲ୍ସରେ କିନ୍ତୁ ଭାରତର ପ୍ରକାଶ ସରନ ଓ ଶିବତେଜ ଶିରଫୁଲେଙ୍କ ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି। ଏହି ଭାରତୀୟ ଯୋଡ଼ି ଥାଇଲାଣ୍ଡର ର୍ୟୁ କୋଟିକୁଲା ଓ ଧର୍ମା ପାଣ୍ଟାରାଟର୍ନଙ୍କଠାରୁ ୨-୬, ୧-୬ ସେଟ୍‌ରେ ହାରି ଯାଇଛନ୍ତି। ଅନ୍ୟ ଏକ ସେମିଫାଇନାଲରେ କୋରିଆର ମିନ୍‌ ହ୍ୟୁକ ଚୋ ଓ ଓନମିନ୍‌ କିମ୍‌ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି। ବାଳକ ଯୋଡ଼ିଙ୍କ ଭଳି ଭାରତୀୟ ବାଳିକା ଯୋଡ଼ିଙ୍କ ଅଭିଯାନ ମଧ୍ୟ ସେମିଫାଇନାଲରେ ଶେଷ ହୋଇଛି। ମାୟା ରାଜେଶ୍ୱରନ ରେବତୀ ଓ ହରିଥା ଶ୍ରୀ ଭେଙ୍କଟେଶ୍‌ ୩-୬, ୨-୬ ସେଟ୍‌ରେ କାଜାଖସ୍ତାନର ଇଭା କୋରିଶେଭା ଓ ୟେର୍କେଝାନ ଝାଣ୍ଟାୟେଭା ଯୋଡ଼ିଙ୍କଠାରୁ ହାରି ଯାଇଛନ୍ତି। କାଜାଖ ଯୋଡ଼ି ଫାଇନାଲରେ ତୁର୍କମେନିସ୍ତାନର ଇଲିମା ଗୁସେନୋଭା ଓ ଉଜ୍‌ବେକିସ୍ତାନର ଇମିଲି କିମ୍‌ଙ୍କୁ ଭେଟିବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଅତିଥିଭାବେ ଯୋଗଦେଇ ସେଣ୍ଟର କୋର୍ଟରେ କୋରିଆ-ଥାଇଲାଣ୍ଡ ବାଳିକା ସିଙ୍ଗଲ୍ସ ମ୍ୟାଚ ପୂର୍ବରୁ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।

 

Share