ଜନପ୍ରିୟ ବିଜ୍ଞାନ ରଚନା ଲାଗି ମାୟାଧର ସ୍ବାଇଁ ପାଇଲେ ଜାତୀୟ ପୁରସ୍କାର

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୨୮।୨: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ମଙ୍ଗଳବାର ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଜନପ୍ରିୟ ବିଜ୍ଞାନ ରଚନା ଲାଗି ଇଂ. ମାୟାଧର ସ୍ବାଇଁଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ୨୦୨୨ ଲାଗି ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ପୁସ୍ତକ ରଚନା ଏବଂ ପତ୍ରିକାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଲେଖାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଇଂ.ସ୍ବାଇଁ ୭୦ ଜନପ୍ରିୟ ବିଜ୍ଞାନ ପୁସ୍ତକ ଓ ପତ୍ରିକାରେ ୫୦୦ରୁ ଅଧିକ ବିଜ୍ଞାନ ନିବନ୍ଧ ପ୍ରକାଶ କରିଛନ୍ତି। ଜନପ୍ରିୟ ବିଜ୍ଞାନ ରଚନା ଲାଗି ତାଙ୍କୁ ପୂର୍ବରୁ ଓଡ଼ିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ପ୍ରଚାର ସମିତି, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ପରିବେଶ ସମିତି, ରାଜଧାନୀ ପୁସ୍ତକ ମେଳା, ଭୁବନେଶ୍ୱର ପୁସ୍ତକ ମେଳା ସହ ଅନେକ ସଂସ୍ଥା ଦ୍ୱାରା ପୁରସ୍କୃତ କରାଯାଇଛି। ବର୍ତ୍ତମାନ ସମୟରେ ସେ ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ୱାରା ପ୍ରକାଶିତ ମାସିକ ଇଂରାଜୀ ପତ୍ରିକା ‘ସାଇନ୍ସ ହୋରିଜନ୍‌’ର ସମ୍ପାଦକ ଅଛନ୍ତି।

Share