Categories: ଖେଳ

Mayank Agarwal Admitted ICU: କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ଆଇସିୟୁରେ ଭର୍ତ୍ତି, ପିଇବା ପାଣିରେ ବିଷାକ୍ତ ପଦାର୍ଥ ଥିବା ଆଶଙ୍କା…

ଅଗରତାଲା,୩୦।୧ : ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ହଠାତ ଅସୁସ୍ଥତା ସମ୍ପର୍କରେ ମଙ୍ଗଳବାର ସୂଚନା ସାମ୍ନାକୁ ଆସିଛି। ସେ ତ୍ରିପୁରାର ରାଜଧାନୀ ଅଗରତାଲାଠାରୁ ସୁରଟ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ହଠାତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ବିମାନରୁ ଓହ୍ଲାଯାଇ ଅଗରତାଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ସେ ତାଙ୍କ ରଣଜୀ ଦଳ କର୍ନାଟକର ଅଧିନାୟକ ଭାବେ ଖେଳୁଥିଲେ। ୨୬ ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ତ୍ରିପୁରା ବିପକ୍ଷରେ ମ୍ୟାଚ ଖେଳିବା ପରେ ସେ ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତି କରିବାକୁ ସୁରଟ ଯାଉଥିଲେ ।

ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅଗରତାଲାର ଆଇଏଲଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ରଖିଛନ୍ତି। ଗଣମାଧ୍ୟମକୁ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସୂଚନା ଦେବାକୁ ଡାକ୍ତରମାନେ ମନା କରିଦେଇଛନ୍ତି। ସେ ବିମାନରେ ଚଢ଼ିବା ପରେ ତାଙ୍କ ପାଟି ଓ ଗଳାରେ କିଛି ସମସ୍ୟା ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଡାକ୍ତରଖାନା ନିଆଯାଇଥିଲା। ବର୍ତ୍ତମାନ ସେ ବିପଦ ମୁକ୍ତ ଥିବା କୁହାଯାଉଛି।

ପ୍ରାଥମିକ ସୂଚନା ଅନୁଯାୟୀ, ସେ ପାଣି ପିଇବା ମାତ୍ରେ ତାଙ୍କ ଗଳା ଓ ପାଟିରେ ସମସ୍ୟା ଦେଖାଦେଇଥିଲା। ପାଣିରେ କିଛି ବିଷାକ୍ତ ପଦାର୍ଥ ଥିବା ଅନୁମାନ କରାଯାଉଛି।

ବର୍ତ୍ତମାନର ରଣଜୀ ଟ୍ରଫିରେ ସେ ବହୁତ ଭଲ ଫର୍ମରେ ଅଛନ୍ତି। ସେ ଚାରିଟି ମ୍ୟାଚରେ ଦୁଇ ଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ସେ ହାରାହାରି ୪୪.୬ ହାରରେ ୪୬୦ ରନ ସଂଗ୍ରହ କରିଛନ୍ତି। ୨୦୨୮ ରେ ଟିମ ଇଣ୍ଡିଆ ପାଇଁ ଖେଳିଥିଲେ। ହାରାହାରି ୪୧.୩ ହାରରେ ୨୧ ଟି ଟେଷ୍ଟ ମ୍ୟାଚରେ ସେ ୧,୪୪୮ ରନ କରିଛନ୍ତି । ସେ ଶେଷ ଥର ପାଇଁ ମାର୍ଚ୍ଚ ୨୦୨୨ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ, ସେବେଠାରୁ ସେ ଦଳ ବାହାରେ ରହିଛନ୍ତି।

 

 

Share