Categories: ଖେଳ

ମୟଙ୍କ ଓ ସର୍ବେଶଙ୍କ ଶତକ

ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୧୯ବର୍ଷରୁ କମ୍‌ କୁଚବିହାର ଟ୍ରଫିି ରବିବାର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ହରିୟାଣା ଦଳର ଦୁଇଜଣ ଖେଳାଳି ଶତକ ଓ ତିନିଜଣ ଅର୍ଦ୍ଧଶତକ କରି ମ୍ୟାଚକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଓଡ଼ିଶା ଦଳ ବୋଲିଂରେ ବିଫଳ ହୋଇଥିଲା। ବ୍ୟାଟସ୍‌ମ୍ୟାନ ମୟଙ୍କ ସାଣ୍ଡିଲ୍ୟ ୧୯୪ ବଲରେ ୧୨୯ ରନ କରିଥିଲେ। ସେଥିରେ ୧୬ ଚୌକା ଓ ୪ ଛକ୍କା ରହିଛି।

ସେହିପରି ସର୍ବେଶ ରୋହିଲା ୧୪୭ ବଲର ସାମ୍‌ନା କରି ୧୧୮ରନ ସହ ଅପରାଜିତ ରହିଛନ୍ତି। ସେଥିରେ ୧୨ ଚୌକା ଓ ୩ ଗୋଟି ଛକ୍କା ରହିଛି। ୟସବର୍ଦ୍ଧନ ଦଲାଲ ୧୧୦ ବଳରେ ୮୬ ରନ କରି ଅପରାଜିତ ଅଛନ୍ତି। ସାମନ୍ତ ଝାକର ୬୭ ବଲରେ ୫୦ ରନ ଓ ନିଶାନ୍ତ ସିଦ୍ଧୁ ୧୦୦ ବଲରେ ୬୫ ରନ କରି ଦଳର ସ୍କୋର ବଢାଇଥିଲେ। ହରିୟାଣା ଦଳ ମୋଟ ୧୦୬ ଓଭରରେ ୫ ଉଇକେଟ ହରାଇ ୪୬୬ ରନ ସଂଗ୍ରହ କରିଥିଲା। ପ୍ରଥମ ଇନିଂସରେ ଓଡ଼ିଶା ଦଳ ୧୯୪ ରନ କରି ଅଲଆଉଟ ହୋଇଥିଲା। ପ୍ରଥମ ଇନିଂସ ଖେଳ ବାକି ରହିଥିବା ବେଳେ ଓଡିଶାଠାରୁ ହରିୟାଣା ଦଳ ୨୭୬ ରନ ଆଗରେ ରହିଛି। ଓଡିଶା ବୋଲର ସଞ୍ଜୟ ରାଉତରାୟ ୨୧ ଓଭରରେ ୨ ଉଇକେଟ ଏବଂ ରିତେଶ ପ୍ରିୟରଞ୍ଜନ, ସନ୍ଦିପ ମହାପାତ୍ର ଓ ଅଭିନବ ନନ୍ଦ ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ। ଆର୍‌ ସୁବ୍ରମନିୟମ ଆୟାର ଓ ଆର୍‌. ରାକେଶ ଅମ୍ପାୟାର ଓ ମ୍ୟୋମିତା ଚୌଧୁରୀ ମ୍ୟାଚ ରେଫରି ରହିଥିଲେ।

 

Share