Categories: ଜାତୀୟ

ବିଏସ୍‌ପିର ସବୁ ୟୁନିଟ୍‌ ଭାଙ୍ଗିଲେ ମାୟାବତୀ

ଲକ୍ଷ୍ନୌ,୨୮।୩(ଆଇଏଏନ୍‌ଏସ୍‌): ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀ ରବିବାର ତାଙ୍କ ଦଳର ରାଜ୍ୟ ସଭାପତି, ବିଧାନସଭା ବାଚସ୍ପତି ଏବଂ ଜିଲା ସଭାପତି ପଦକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ୟୁନିଟ୍‌କୁ ଭଙ୍ଗ କରିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସ୍‌ପିର ଶୋଚନୀୟ ପରାଜୟ ସମ୍ପର୍କରେ ଆଲୋଚନା ପାଇଁ ଡକାଯାଇଥିବା ବୈଠକରେ ଦଳ ସୁପ୍ରିମୋ ଏହା ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ଆଜମଗଡ଼ ଉପନିର୍ବାଚନ ଲାଗି ବିଏସ୍‌ପି ଗୁଡ୍ଡୁ ଜମାଲିଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। କରହଲ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜମଗଡ଼ ଲୋକ ସଭା ଆସନରୁ ଇସ୍ତଫା ଦେଇଥିବାରୁ ସେଠାରେ ଉପନିର୍ବାଚନର ଆବଶ୍ୟକତା ରହିଛି। ଗୁଡ୍ଡୁ ଜମାଲି ଓରଫ ଶାହ ଆଲମ୍‌ ନିକଟରେ ଏଆଇଏମ୍‌ଆଇଏମ୍‌ ଛାଡ଼ି ବିଏସ୍‌ପିରେ ଯୋଗଦେଇଥିଲେ। ଏହା ପୂର୍ବରୁ ସେ ଏଆଇଏମ୍‌ଆଇଏମ୍‌ ଟିକେଟରେ ମୁବାରକପୁର ଆସନରୁ ନିର୍ବାଚନ ଲଢ଼ିଥିଲେ। ରବିବାର ବୈଠକରେ ବିଏସ୍‌ପିର ସମସ୍ତ ୪୦୨ ପ୍ରାର୍ଥୀ ଉପସ୍ଥିତ ଥିଲେ। ଉତ୍ତରପ୍ରଦେଶରେ ଭାଜପାକୁ ଜିତାଇଦେଲେ ମାୟାବତୀଙ୍କୁ ରାଷ୍ଟ୍ରପତି କରାଯିବ ବୋଲି ଭାଜପା ଏବଂ ଆର୍‌ଏସ୍‌ଏସ୍‌ ପକ୍ଷରୁ ମିଥ୍ୟା ପ୍ରଚାର କରାଯାଇ ତାଙ୍କ ସମର୍ଥକମାନଙ୍କୁ ବିଭ୍ରାନ୍ତ କରାଯାଇଥିଲା ବୋଲି ବିଏସ୍‌ପି ଅଧ୍ୟକ୍ଷା କହିଛନ୍ତି। କୌଣସି ଦଳଠାରୁ ସେ କଦାପି ଏଭଳି ଅଫର ଗ୍ରହଣ କରିବେ ନାହିଁ ବୋଲି ମାୟାବତୀ କହିଛନ୍ତି।

 

Share