Categories: ଜାତୀୟ

‘ଭାଜପା ସହ ଯୋଗାଯୋଗରେ ଅଛନ୍ତି ମାୟାବତୀ’

ମୁମ୍ବାଇ,୩୦।୮: ଦେଶର ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଗୁରୁବାର ଠାରୁ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ବୁଧବାର ବିଏସ୍‌ପି ମୁଖ୍ୟ ମାୟାବତୀ ବଡ଼ ଘୋଷଣା କରିଛନ୍ତି। ସେ ଏଥର ଇଣ୍ଡିଆ ଏବଂ ଏନ୍‌ଡିଏ ସହ ନ ମିଶି ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଏକୁଟିଆ ଲଢିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ନିଜ ମତ ରଖିଛନ୍ତି।
ଶରଦ ପାୱାର କହିଛନ୍ତି ଯେ, ମାୟାବତୀ ଜୀଙ୍କ ଦଳ କାହା ସହ ଯିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୁଁ ଜାଣେ ବିଏସପି ସୁପ୍ରିମୋ ମାୟାବତୀ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ବିଏସପି ଭାଜପାର ନିକଟବର୍ତ୍ତୀ। ମାୟାବତୀ ନେଇଥିବା ନିଷ୍ପତ୍ତି ବିଷୟରେ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବ। ମୁଁ ପୂର୍ବରୁ କହିଛି ମୁଁ ବିରୋଧୀ ମେଣ୍ଟରେ ଅଛି। ଏ ବିଷୟରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଦେଶରେ ଏକ ବିକଳ୍ପ ଫୋରମ ପ୍ରସ୍ତୁତ କରାଯାଉଛି। ଦେଶରେ ପରିବର୍ତ୍ତନ ଆଣିବାକୁ ମିଳିତ ମେଣ୍ଟ ପ୍ରସ୍ତୁତ।
ଗୁରୁବାର ଠାରୁ ମୁମ୍ବାଇରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ଆଲାଇନ୍ସର ବୈଠକରେ ୨୮ଟି ରାଜନୈତିକ ଦଳର ୬୩ ପ୍ରତିନିଧୀ ଅଂଶଗ୍ରହଣ କରିବେ।

Share