Categories: ଜାତୀୟ

କୌଣସି ଟିଭି ବିତର୍କରେ ଭାଗ ନେବେନି ବିଏସ୍‌ପି ମୁଖପାତ୍ର

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ଉପରେ ଜାତିଗତ ମନୋଭାବ ଆପଣାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ବର୍ତ୍ତମାନଠାରୁ ତାଙ୍କ ଦଳର କୌଣସି ମୁଖପାତ୍ର ଟିଭି ଚ୍ୟାନେଲ ବିତର୍କରେ ଭାଗ ନେବେ ନାହିଁ ବୋଲି ମାୟାବତୀ କହିଛନ୍ତି। ଟିଭି ଚ୍ୟାନେଲଗୁଡ଼ିକ ଜାତିଗତ ଏଜେଣ୍ଡାକୁ ନେଇ ବିତର୍କ କରୁଥିବାରୁ ଏହା ତାଙ୍କ ଦଳକୁ ନିର୍ବାଚନରେ କ୍ଷତି ପହଞ୍ଚାଇଛି। ଏଥିପାଇଁ ତାଙ୍କ ଦଳ ସମସ୍ତ ଟିଭି ଚ୍ୟାନେଲ ବିତର୍କରୁ ଦୂରେଇ ରହିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମାୟାବତୀ କହିଛନ୍ତି। ରାଜ୍ୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ଦ୍ୱିତୀୟ ଦିନରେ ମାୟାବତୀ ଟୁଇଟ କରି ସେ ଗଣମାଧ୍ୟମ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, ୟୁପି ବିଧାନସଭା ନିର୍ବାଚନ ସମୟରେ ଗଣମାଧ୍ୟମ ଜାତିବାଦକୁ ନେଇ ଆମ୍ବେଦକରବାଦୀ ବିଏସ୍‌ପି ଆନ୍ଦୋଳନକୁ କ୍ଷତି ପହଞ୍ଚାଇବା ପାଇଁ କରାଯାଇଥିବା କାର୍ଯ୍ୟ କାହାରିଠାରୁ ଅଛୁପା ନାହିଁ। ଏଭଳି ସ୍ଥିତିରେ ଦଳର ମୁଖପାତ୍ରମାନଙ୍କୁ ନୂଆ ଦାୟିତ୍ୱ ଦିଆଯିବ। ଏଥିପାଇଁ ଦଳର ସବୁ ମୁଖପାତ୍ର ସୁଧୀର ଭଦୌରିଆ, ଧର୍ମବୀର ଚୌଧୁରୀ, ଡା.ଏମ୍‌ଏଚ୍‌ ଖାନ, ଶ୍ରୀ ଫୈଜାନ ଖାନ ଓ ସୀମା କୁଶୱା କୌଣସି ଟିଭି ବିତର୍କ କିମ୍ବା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ମାୟାବତୀ କହିଛନ୍ତି।

Share