କଟକ,୭।୩(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ଓ ଛୁଟି ବାତିଲକୁ ନେଇ ଗୁରୁବାର ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରିଛି। ଏହି ଅବସରରେ ବାରବାଟୀ-କଟକ ବିଜେଡି ପକ୍ଷରୁ ସିଡିଏସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ପ୍ରତିବାଦ ସହ ଧାରଣା ଦିଆଯାଇଥିଲା। ଏଥିରେ କଟକ ମହାନଗର ନିଗମ(ସିଏମ୍ସି)ମେୟର ସୁବାସ ସିଂ ଯୋଗଦେଇଥିଲେ। ବାରବାଟୀ-କଟକ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଉଥିବା ସମ୍ପର୍କରେ ବ୍ୟାନରେ ଲେଖାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ବିଜେଡି କଟକ ଜିଲା ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ନଗର ସଭାପତି ମଧୁସୂଦନ ଦାସଙ୍କ ସମେତ ବରିଷ୍ଠ ନେତା ଓ ବାରବାଟୀ-କଟକର ପ୍ରାୟତଃ କର୍ପୋରେଟରଙ୍କୁ ଦେଖିବାକୁ ମିଳି ନ ଥିଲା। ଏପରି କି ଯୁବ ଛାତ୍ରନେତା ମଧ୍ୟ ଯୋଗ ଦେଇ ନ ଥିଲେ। ତେବେ ପୂର୍ବରୁ କେତେକ କାର୍ଯ୍ୟକ୍ରମରେ ଦେବାଶିଷ ଓ ସୁବାସଙ୍କୁ ଏକାଠି ଦେଖିବାକୁ ମିଳି ନ ଥିବାବେଳେ ଦଳ ପକ୍ଷରୁ ଏହି ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମରେ ମଧ୍ୟ ସମାନ ସ୍ଥିତି ନଜରକୁ ଆସିଛି। ସୁବାସଙ୍କ ସହିତ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର କେତେଜଣ ହାତଗଣତି କର୍ପୋରେଟର ଉପସ୍ଥିତ ରହି କାର୍ଯ୍ୟକ୍ରମ ସମାପନ କରିଥିଲେ। ତେବେ ବିଜେଡି ସରକାରରୁ ଯିବା ପରେ କଟକରେ ଦଳରେ କନ୍ଦଳ ଦେଖାଦେଇଛି। ଏପରି କି ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ମେୟର ସୁବାସ କହିଛନ୍ତି, ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମକୁ ସିଏମ୍ସି ଅଧୀନ ୩ ନମ୍ବର ଓ୍ବାର୍ଡର ସଭାପତି ମନୋରଞ୍ଜନ ମହାପାତ୍ର ଆୟୋଜନ କରିଥିଲେ। ମୁଁ କେବଳ କାର୍ଯ୍ୟକ୍ରମରେ ଯୋଗଦେଇଛି। ଦଳ କିମ୍ବା ନେତାଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ସମସ୍ତେ ଏକାଠି ଥିଲୁ ବୋଲି ସୁବାସ କହିଛନ୍ତି।