ଫ୍ରାନ୍ସ ହିଂସା ବିରୋଧରେ ରାଲି ପାଇଁ ମେୟରଙ୍କ ଆହ୍ବାନ

ପ୍ୟାରିସ,୪।୭: ଫ୍ରାନ୍ସର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ରବିବାର ରାତିରେ ଅଳ୍ପ କିଛି ସ୍ଥାନରେ ବିକ୍ଷୋଭକାରୀଙ୍କ ନାରାବାଜି ଦେଖାଯାଇଥିବାବେଳେ କମ୍‌ ସଂଖ୍ୟକ ଲୋକଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍‌ ମାକରଁଙ୍କ ନିର୍ଦ୍ଦେଶକ୍ରମେ ରାସ୍ତାରେ ପୋଲିସ ଛାଉଁଣୀ କରାଯାଇଛି। ଅନ୍ୟପକ୍ଷେ ବିକ୍ଷୋଭଜନିତ ହିଂସା ଓ ଲୁଟ୍‌ ବିରୋଧରେ ଟାଉନ୍‌ ହଲ୍‌ ସମ୍ମୁଖରେ ରାଲି କରାଯିବା ନେଇ ସୋମବାର ମେୟରମାନଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ଥିତି ଆୟତ୍ତକୁ ଆସିବା ନେଇ ନଣ୍ଟେରେ ମେୟର କହିଛନ୍ତି, ନହେଲଙ୍କ ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀଙ୍କ ଦ୍ୱାରା ହେଉଥିବା ହିଂସା କମିଛି। ସାରା ଦେଶରେ ବିଶୃଙ୍ଖଳା ସୃଷ୍ଟି କରିଥିବା ବିକ୍ଷୋଭକୁ ଅଣ ଦେଖା କରାଯାଇ ପାରିବ ନାହିଁ। ବିକ୍ଷୋଭ ଯୋଗୁ ଭିଡ଼ ଜମୁଥିବା ସ୍ଥାନର ଦୋକାନ ଭାଙ୍ଗି ବହୁ ଜିନିଷ ଚୋରି କରାଯାଇଥିବା ମେୟର କହିଛନ୍ତି। ଶନିବାର ପୋଲିସ ୭୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବାବେଳେ ରବିବାର ୧୫୦ ଜଣ ଗିରଫ ହୋଇଥିଲେ। ଅନ୍ୟପକ୍ଷେ ନହେଲଙ୍କ ଜେଜେ ମା’ ହିଂସା ଶେଷ କରିବାର ଅନୁରୋଧ କରିଛନ୍ତି। ପ୍ରତିବାଦକାରୀମାନେ ସ୍କୁଲବସ୍‌ ଜାଳି ଦେଉଥିବାବେଳେ ଏ ପରି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ସେ କହିଥିଲେ। ତେବେ ଜୁଲାଇ୧ରେ ନହେଲଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପରିବାର ଲୋକଙ୍କ ସମେତ ବନ୍ଧୁ ଏଥିରେ ଉପସ୍ଥିତ ଥିଲେ। ପୋଲିସ ଗୁଳିରେ ନାବାଳକ ଡ୍ରାଇଭର ନହେଲଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ନ୍ୟାୟ ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି।

Share