ନବୀନଙ୍କୁ ଭେଟିଲେ ମେୟର, ଏମ୍‌ପି ପ୍ରାର୍ଥୀ

ଭୁବନେଶ୍ୱର, ୧୮।୬ (ବନ୍ଦନା ସେଠୀ):ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ସୋମବାର ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ସମସ୍ତ ବିଜେଡି କର୍ପୋରେଟର, ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ୪ଜଣ କର୍ପୋରେଟର, ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ ରାଉତରାୟ ନବୀନ ନିବାସ ଯାଇ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ତେବେ ଭୁବନେଶ୍ୱର ମଧ୍ୟ ଏବଂ ଏକାମ୍ର ନିର୍ବାଚନମଣ୍ଡଳୀର ଅନ୍ୟ ବିଜେଡି କର୍ପୋରେଟର ଓ ବିଧାୟକ ନ ଯିବାକୁ ନେଇ ଆଲୋଚନା ଜୋର୍‌ ଧରିଛି। ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ୨ଜଣ କର୍ପୋରେଟର ଖୋଲାଖୋଲି ଭାବେ ଦଳର ନେତୃତ୍ୱକୁ ବିରୋଧ କରିବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ। ତେଣୁ ଯେଉଁମାନଙ୍କ ପାଇଁ ଏକାମ୍ରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ହାରିଲେ ଏବଂ ମଧ୍ୟ ନିର୍ବାଚନମଣ୍ଡଳୀରେ ଅନନ୍ତ ଜେନା ବହୁ କମ୍‌ ଭୋଟରେ ଜିତିଲେ, ସେମାନଙ୍କ ସହ ନବୀନଙ୍କ ପାଖକୁ ଯିବେ ନାହିଁ ବୋଲି ଏହି ଦୁଇ ନିର୍ବାଚନମଣ୍ଡଳୀର ବିଜେଡି କର୍ପୋରେଟରମାନେ ସ୍ଥିର କରିଥିଲେ। ପ୍ରଥମେ ଏକାମ୍ରର ସମସ୍ତ କର୍ପୋରେଟର ନିଜ ଭିତରେ ଆଲୋଚନା କରି ଏଥିରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଦେଖାଦେଖି ମଧ୍ୟ ନିର୍ବାଚନମଣ୍ଡଳୀର କର୍ପୋରେଟରମାନେ ମଧ୍ୟ ଏଥିରୁ ଦୂରେଇ ରହିଥିଲେ। ତେଣୁ ନିଜ ନିର୍ବାଚନମଣ୍ଡଳୀର କର୍ପୋରେଟଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ଦେଇ ବିଧାୟକମାନେ ଏଥିରୁ ଦୂରେଇ ରହିଥିବା କେତେଜଣ କର୍ପୋରେଟର କହିଛନ୍ତି। ମେୟରଙ୍କ ପକ୍ଷରୁ ୫୭ଜଣ କର୍ପୋରେଟରଙ୍କୁ ଫୋନ୍‌ ଯୋଗେ ଏକାଠି ହେବାକୁ କୁହାଯାଇଥିଲା। ତେବେ ସମ୍ପୃକ୍ତ ଦୁଇ କର୍ପୋରେଟରଙ୍କ ପାଇଁ ୨ଟି ନିର୍ବାଚନମଣ୍ଡଳୀର କର୍ପୋରେଟର ଏଥିରୁ ନିଜକୁ ଦୂରେଇ ରଖିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ସ୍ବୀକାର କରିଥିଲେ ମଧ୍ୟ ତୃଣମୂଳ ସ୍ତରରେ ବିଜେଡିର ସମସ୍ତ କର୍ପୋରେଟର ଏକାଠି ଅଛନ୍ତି ଏବଂ ସମସ୍ତେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି ବୋଲି ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିସହ ସମସ୍ତେ ଦଳର ମୁଖିଆଙ୍କ ପାଖକୁ ଯାଇ ତାଙ୍କ ମନୋବଳ ବଢାଇବା ସହ ଆଗାମୀ ଦିନ ପାଇଁ ଋଣନୀତି ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା।

Share