Categories: ଜାତୀୟ

ସ୍ବାମୀ ଲାଞ୍ଚ ନେଇ ଧରାପଡ଼ିବାରୁ ବିଦାହେଲେ ମେୟର

ଜୟପୁର,୭ା୮: ସ୍ବାମୀ ଲାଞ୍ଚ ନେଉଥିବାବେଳେ ଧରାପଡ଼ିବାରୁ ତାଙ୍କ ସ୍ତ୍ରୀ ମୁନେଶ ଗୁର୍ଜାରଙ୍କୁ ରାଜସ୍ଥାନ ସରକାର ଜୟପୁର ହେରିଟେଜ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ର ମେୟର ପଦରୁ ବିଦା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଜମି ଲିଜ୍‌ କରାଇଦେବା ପାଇଁ ମେୟରଙ୍କ ସ୍ବାମୀ ସୁଶୀଲ ଗୁର୍ଜାର ଶନିବାର ୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ଧରିଥିଲା। ତାଙ୍କୁ ୨୩ ନମ୍ବର ଓ୍ବାର୍ଡର ସଭ୍ୟ ପଦରୁ ମଧ୍ୟ ନିଲମ୍ବନ କରାଯାଇଛି। ସୁଶୀଲ ଘରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ମେୟର ଘର ଭିତରେ ଥିଲେ।

ତାଙ୍କ ଘରେ ଚଢ଼ାଉ କରାଯାଇ ୪୦ ଲକ୍ଷ ଟଙ୍କା ଜବତ ହୋଇଛି। ତେଣୁ ଲାଞ୍ଚ କାରବାରରେ ମେୟର ସମ୍ପୃକ୍ତ ଥିବା ଏବଂ ସେ ତଦନ୍ତକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି। ଦୁର୍ନୀତି ନିବାରଣ ବିଭାଗ ସୁଶୀଲଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରି ଜେରା କରୁଛି।

Share