ପଟ ପରିବର୍ତ୍ତନ ଆଡ଼କୁ ମୟୂରଭଞ୍ଜ ରାଜନୀତି

ବାରିପଦା,୫ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାକୁ ମଧ୍ୟ ଭାଜପା ସମ୍ପୂର୍ଣ୍ଣ ଦଖଲ କରିଛି। ଜିଲାରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଥିବା ବେଳେ ଏବେ ପଟ୍ଟ ପରିର୍ତ୍ତନର ପବନ ବହିବାରେ ଲାଗିଛି। ପରାଜିତ ଦଳର ନେତା, କର୍ମୀ ଓ ଠିକାଦାର ଗୋଷ୍ଠୀ ଭାଜପା ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମୟୂରଭଞ୍ଜ ଗସ୍ତ ବେଳେ ବାରିପଦାସ୍ଥିତ ସର୍କିଟ ହାଉସ୍‌ରେ ଅନ୍ୟଦଳର ନେତା ଓ କର୍ମୀ ଗହଳି ଲଗାଇବା ଘଟଣାରୁ ଏହା ଅନୁମାନ କରାଯାଉଛି। ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀର କେତେଜଣ ନେତା ଓ କର୍ମୀ ଭାଜପା ଦଳରେ ନିଜକୁ ସମର୍ପି ଦେବାକୁ ଯୋଜନା ଆରମ୍ଭ କରିଛନ୍ତି। ଠିକାଦାର ଗୋଷ୍ଠୀ ନିଜ ସ୍ବାର୍ଥ ପାଇଁ ମନ୍ତ୍ରୀଙ୍କ ନିକଟତର ହେବାରେ ଲାଗିଛନ୍ତି, ଯାହାକୁ ନେଇ ଗୁଞ୍ଜରଣ ସୃଷ୍ଟି ହେବାରେ ଲାଗିଛି।
ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଜଣ ମନ୍ତ୍ରୀଙ୍କୁ ୩୦ ଜିଲା ଗସ୍ତ କରି ଜନହିତକର ଯୋଜନାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ମୟୂରଭଞ୍ଜ ଜିଲାକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଓ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଆସିଥିବା ବେଳେ ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ମୟୂରଭଞ୍ଜ ଏମ୍‌ପି ନବ ଚରଣ ମାଝୀ ଓ ସମସ୍ତ ବିଧାୟକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ା ତେବେ ମନ୍ତ୍ରୀଙ୍କ ବିଶ୍ରାମ ପାଇଁ ସର୍କିଟ ହାଉସରେ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରବଳ ଗହଳି ପରିଲଖିତ ହୋଇଥିଲା। ଭିଡ଼କୁ ଦେଖିବା ପରେ ଜିଲାରେ ଭାଜପାର ଶକ୍ତି ବଢ଼ିଥିବା ଅନୁମାନ କରାଯାଇଥିଲା। ମାତ୍ର ଏହି ଭିଡ଼ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଖାସ୍‌ କର୍ମୀ ଓ ଠିକାଦାରଙ୍କ ସଂଖ୍ୟା ଅଧିକ ଥିଲା। ଯାହାକି ରାଜନୀତିରେ ପଟ୍ଟ ପରିବର୍ତ୍ତନର ପବନ ବୋହିବାରେ ଲାଗିଥିବା ଆଲୋଚନା ହେଉଛି। ପୂର୍ବତନ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ ବିଜେଡି ଛାଡ଼ିବା ପରେ ଏବେ ଜିଲା ବିଜେଡି ନେତାମାନେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳୁଛି। ସାଙ୍ଗଠନିକ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ମମତା ଦଳରୁ ଇସ୍ତଫା ଦେବା ପରେ ପରାଜିତ ବିଧାୟକ ପ୍ରାର୍ଥୀଙ୍କ ସମେତ ବିଜେଡି ନେତୃବୃନ୍ଦ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ମାତ୍ର ସେହି ନେତୃବୃନ୍ଦଙ୍କ ଭିତରେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି କମ୍ବା ତାଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡିଙ୍କ ଅନୁପସ୍ଥିତକୁ ନେଇ ଜିଲା ରାଜନୀତି ସରଗରମ ହୋଇଛି।

Share