ବାରିପଦା ଅଫିସ,୧୩ା୭: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା। ୧୯୫୨ ମସିହାରେ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୂ ସାଜିଥିଲେ। ତାଙ୍କ ସ୍ବାମୀ ଅର୍ଥାତ୍ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ୨୦୦୦ ମସିହାରେ ପରଲୋକ ଘଟିଥିଲା।
ସୂଚନାଯୋଗ୍ୟ, ରବିବାର ରାଜମାତା ସୁସ୍ଥ ଥିଲେ। ସକାଳେ ଜଳଖିଆ ଖାଇବା ସହ ମଧ୍ୟାହ୍ନଭୋଜନ ମଧ୍ୟ କରିଥିଲେ। ତେବେ ରାତିରେ ଶୋଇଥିବା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।