ପଦା ହେଲାଣି ମୟୂରଝାଲିଆ କାଜୁ ଜଙ୍ଗଲ

ନୟାଗଡ଼ ଅଫିସ/ରଣପୁର,୨୫।୨(ସ୍ବ.ପ୍ର.): କାଜୁ ନିଗମ ଅଧୀନରେ ଥିବା ନୟାଗଡ଼ ଜିଲା ରଣପୁର ତହସିଲ ମୟୁରଝାଲିଆ ଗାଁରେ ଗୋଚର ଓ କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଖନନ ଚାଲିଛି । ପ୍ରାୟ ଦେଢ଼ ବର୍ଷ ଭିତରେ କାଜୁ ଜଙ୍ଗଲରୁ ପ୍ରାୟ୧୦ ହଜାର ଗଛ କଟା ସରିଲାଣି । ଅନ୍ୟପକ୍ଷେ ଚାରଣ ଭୂମି କମିବାରେ ଲାଗିଛି । ବେଆଇନ ଖଣି ନେଇ ବିଭିନ୍ନ ସମୟରେ ଅଭିଯୋଗ ଓ ପ୍ରତିବାଦ ସତ୍ତ୍ୱେ ଚଢ଼ାଉ ନାହିଁ । ବରଂ ଖଣିଚୋରମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ଅଭିଯୋଗ ରହିଛି । ଏନେଇ ଜଙ୍କିଆ ବାସିନ୍ଦା କାଜୁ ନିଗମ ଖୋର୍ଦ୍ଧା ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ମୟୁରଝାଲିଆ ମୌଜାରେ ଖାତା ନଂ. ୪୯୫ ପ୍ଲଟ ନଂ. ୧୬୮୯ରେ ଗ୍ରାମ୍ୟ ଜଙ୍ଗଲ କିସମରେ ୧୪୪ ଏକରରେ ରହିଛି କାଜୁ ଜଙ୍ଗଲ । ୫୦ ବର୍ଷ ତଳେ ଉପରୋକ୍ତ ଜମିରେ କାଜୁ ନିଗମ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାଜୁ ଚାରା ରୋପଣ ହୋଇଥିଲା । ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ କାଜୁ ଗଛ ରହିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଜଙ୍କିଆ ଗ୍ରାମବାସୀ ଏହି କାଜୁ ଜଙ୍ଗଲକୁ ନିଲାମ ନେଉଥିଲେ । କାଜୁ ନିଗମ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାବେଳେ ଗଁା ଲୋକ ମଧ୍ୟ ଭଲ ଦୁଇ ପଇସା ପାଇ ଗୁଜୁରାଣ ମେଣ୍ଟାଉଥିଲେ। ଏବେ ପ୍ରାୟ ଦେଢ଼ ବର୍ଷ ହେଲା କାଜୁ ଜଙ୍ଗଲ ନିଲାମ ହୋଇ ନାହିଁ । କେତେଜଣ ଖଣି ଚୋର କାଜୁ ଜଙ୍ଗଲକୁ ଅକ୍ତିଆରକୁ ନେଇ ବେଆଇନ ଭାବେ ମାଙ୍କଡା ପଥର ଖନନ କରୁଛନ୍ତି । ପୁଣି ମୋରମ ଖନନ କରୁଛନ୍ତି। ପ୍ରତ୍ୟହ ଖଣି ଖନନ ଚାଲିଛି । ଏନେଇ ଜଙ୍କିଆର ବସନ୍ତ ପରିଡ଼ା କୁହନ୍ତି, କାଜୁ ଜଙ୍ଗଲରେ ୨୫ରୁ ୩୦ ଫୁଟ ଗର୍ତ୍ତ ହୋଇ ସାରିଲାଣି । ଏଥିରେ ଗୃହପାଳିତ ପ୍ରାଣୀ ସହ ମଣିଷ ପଡି ପ୍ରାଣ ହରାଉଛନ୍ତି। ବାଲି ଫିଲିଂ କରାଯାଉ ନ ଥିବାରୁ ଭୂମିକମ୍ପର ଭୟ ରହିଛି । ସେହିପରି ଧିରେ ଧିରେ ଚାରଣ ଭୂମି କମୁଛି । ଗାଈଗୋରୁ ଚରିବା ପାଇଁ ଆଉ ଚାରଣ ଭୂଇଁ ନାହିଁ। ପ୍ର୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ଦରକାର ବୋଲି ସେ ମତବ୍ୟକ୍ତ କିରଛନ୍ତି ।
୭ ହାଇୱା, ୧୪ପାୱାରଟିଲର ଜବତ
ଚାନ୍ଦପୁର ଥାନାଠାରୁ ୮ କି.ମି. ଦୂରରେ ଥିବା ମୟୁରଝାଲିଆ କାଜୁ ଜଙ୍ଗଲ ଉପରେ ରାଜସ୍ବ ବିଭାଗ ପକ୍ଷରୁ ବୁଧବାର ରାତିରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ୭ ହାଇୱା, ୧୪ ପାୱାଲଟିଲର, ୧ ହିତାଜି ମେଶିନ ଜବତ ହୋଇଛି । ଚଢ଼ାଉରେ ପୋଲିସ ସାମିଲ ଥିଲେ। ଗାଁ ଲୋକଙ୍କ ଅଭିଯୋଗ କ୍ରମେ ଚଢ଼ାଉ ହୋଇଥିବା ଅତିରିକ୍ତ ତହସିଲଦାର ଅବିନାଶ ମାହାର କରିଛନ୍ତି।

Share