ବ୍ରହ୍ମପୁର, ୨୪।୯ (ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମବିଏ ଟୁରିଜମ ଦ୍ୱିତୀୟ ବର୍ଷ ଛାତ୍ର ଦୁର୍ଗାମାଧବ ପ୍ରଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଗତ ୧୪ରେ ଶୃଙ୍ଖଳା କମିଟି ବୈଠକରେ ଅଭିଯୋଗ ହୋଇଥିଲା। ଏହାପରେ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳଙ୍କଠାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରେ ଏହି ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ କରାଯାଇଛି। ଶନିବାର ପ୍ରେସ କ୍ଲବଠାରେ ଏକ ଖବରଦାତା ସମ୍ମିଳନୀରେ ଦୁର୍ଗା କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ଆମ୍ବୁଲାନ୍ସ ନଥିବା, ପିଜି ଆଡ଼ମିଶନରେ ଅନିୟମିତତା, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି ବ୍ୟବହାର, ସୂଚନା ଅଧିକାର ଆଇନ ମାଧ୍ୟମରେ ବହୁ ସୁଚନା ସମ୍ପର୍କରେ ଜାଣିବା ନିମନ୍ତେ ଆଗ୍ରହକୁ ଦମନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୋତେ ବହିଷ୍କୃତ କରି ଛାତ୍ରଙ୍କ ମୌଳିକ ଅଧିକାର ସମ୍ପର୍କରେ ସ୍ବର ଉତ୍ତୋଳନକୁ ବନ୍ଦ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।