Categories: ଖେଳ

୨୪ ବର୍ଷରେ ଏହି ମାଇଲଖୁଣ୍ଟ ହାସଲ କଲେ ଏମ୍‌ବାପେ: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇଲେ

ପ୍ୟାରିସ୍‌,୨୧ା୧୧: ଫୁଟବଲ ତାରକା କିଲିଆନ୍‌ ଏମ୍‌ବାପେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସୁପରଷ୍ଟାର ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସେ ପଛରେ ଛାଡିଛନ୍ତି। ବିଶ୍ୱର ଦ୍ରୁତତମ ଖେଳାଳି ଭାବେ ଏମ୍‌ବାପେ ୩୦୦ କ୍ୟାରିୟର ଗୋଲ ସ୍କୋର କରିଛନ୍ତି। ମାତ୍ର ୨୪ବର୍ଷ ୩୩ ଦିନରେ ଏମ୍‌ବାପେ ଏହି ମାଇଲଖୁଣ୍ଟ ହାସଲ କରିଥିବା ବେଳେ ଫୁଟବଲ୍‌ ଇତିହାସର ଦୁଇ କିମ୍ବଦନ୍ତୀ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଅତିକ୍ରମ କରିଛନ୍ତି।

ସର୍ବକନିଷ୍ଠ ଖେଳାଳି ଭାବରେ ସେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହା ସହିତ ଫ୍ରାନ୍ସର ଥିଏରୀ ହେନରୀଙ୍କୁ ମଧ୍ୟ ଏମ୍‌ବାପେ ପଛରେ ଛାଡିଛନ୍ତି। ବର୍ତ୍ତମାନ ଫ୍ରାନ୍ସ ୨୧ ବର୍ଷରୁ କମ ଦଳର କୋଚ୍‌ ରହିଥିବା ହେନରୀ ମଧ୍ୟ ଏମ୍‌ବାପେଙ୍କୁ ପ୍ରଶଂସା କରିଛନ୍ତି। ଏମ୍‌ବାପ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହା ଅବିଶ୍ୱସନୀୟ ଏବଂ ସେ ଏକ ଭିନ୍ନ ଗ୍ରହରୁ ଆସିବା ଭଳି ଲାଗୁଛି ବୋଲି ହେନରୀ କହିଛନ୍ତି। ଉଭୟ ଏମବାପେ ଓ ହେନରୀ ମୋନାକୋରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ଲେଫ୍ଟ ଓ୍ବିଙ୍ଗର ରହିଥିଲେ। ଉଭୟ ଖେଳାଳି ନିଜର ପଦାର୍ପଣରେ ବିଶ୍ୱକପ ଜିତିବାର ଗୌରବ ମଧ୍ୟ ହାସଲ କରିଥିଲେ। ହେନରୀ ୧୯୯୮ରେ ଓ ଏମ୍‌ବାପେ ୨୦୧୮ରେ ବିଶ୍ୱକପ ବିଜୟୀ ହୋଇଥିଲେ।

ରବିବାର ଫ୍ରାନ୍ସ ୧୪-୦ ଗୋଲରେ ଜିବ୍ରାଲେଟରକୁ ପରାସ୍ତ କରିଥିଲା। ଏଥିରେ ଏମ୍‌ବାପେ ହ୍ୟାଟ୍ରିକ ଅର୍ଜନ କରିଥିବା ବେଳେ ତାଙ୍କର କ୍ୟାରିୟର ଗୋଲ ସଂଖ୍ୟା ୩୦୦ ଅତିକ୍ରମ କରିଥିଲା। ଏହା ତାଙ୍କର ୭୪ ମ୍ୟାଚ୍‌ରେ ୪୬ ତମ ଅନ୍ତର୍ଜାତୀୟ ଗୋଲ ହୋଇଥିବା ବେଳେ ଚଳିତ ସିଜନରେ ୧୯ତମ ମ୍ୟାଚ୍‌ରୁ ୨୧ ତମ ଗୋଲ୍‌। ଏହା ସହିତ ଆଉ ୧୦ ଗୋଲ୍‌ ସ୍କୋର କଲେ ଫ୍ରାନ୍ସ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍‌ର ରେକର୍ଡ ନିଜ ନାମରେ କରିବେ। ଜିରୁଡ୍‌ ୫୫ଟି ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିଛନ୍ତି। ୩୦୦ ଗୋଲ ସ୍କୋର କରିବାରେ ଏମ୍‌ବାପେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ମେସି ଓ ନେମାର ୨୫ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିବା ବେଳେ କ୍ରିଷ୍ଟିଆନୋ ରୋନାଲ୍ଡୋ ୨୭ ବର୍ଷ ବୟସରେ ୩୦୦ ଗୋଲ ସ୍କୋର କରିଥିଲେ। ସେହିପରି ଏମ୍‌ବାପେ ୧୦୦୦ କ୍ୟାରିୟର ଗୋଲ ସହିତ ପେଲେଙ୍କ ରେକର୍ଡ ଭାଙ୍ଗି ପାରିବେ ବୋଲି କହିଛନ୍ତି ଥିଏରୀ ହେନରୀ।

Share