ଶାହାରୁଖଙ୍କ ରେକର୍ଡ ଭାଙ୍ଗିଲେ ଏମ୍‌ସି ଷ୍ଟାନ୍‌

ବମ୍ବେ: ବିଗ୍‌ବସ୍‌ ବିଜେତା ହେବା ପରେ ରାପର୍‌ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖଙ୍କ ଲୋକପ୍ରିୟତା ଆକଶ ଛୁଉଁଛି। ଏବେ ସେ ଭାରତର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ପାଲଟିଛନ୍ତି। ସୋସିଆଲ ମିଡିଆରେ ସେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଲାଇଭ ଆସିବା ପରେ ସର୍ବାଧିକ ଦେଖାଯାଇଥିବା କଳାକାର ଭାବେ ଇତିହାସ ରଚିଛନ୍ତି।

ବିଗ୍‌ବସ୍‌ ଘରୁ ବାହାରିବା ପରେ ଗୁରୁବାର ଅପରାହ୍ନରେ ଷ୍ଟାନ୍‌ ପ୍ରଥମ ଥର ଲାଗି ଇନଷ୍ଟାଗ୍ରାମରେ ଲାଇଭ୍‌ ଆସିଥିଲେ। ଏଥିରେ ତାଙ୍କର ୫୪୧ ହଜାରରୁ ଅଧିକ ପ୍ରଶଂସକ ଯୋଡ଼ି ହୋଇ ନୂଆ ରେକର୍ଡ କରିଥିଲେ। ଆଇଜିରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ସେଲିବ୍ରିଟି ମାମଲାରେ ସେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ରେକର୍ଡ ଭାଙ୍ଗିଥିଲେ। ପୂର୍ବରୁ ଶାହାରୁଖଙ୍କ ଲାଇଭ୍‌ରେ ୨୫୫ ହଜାର ଲୋକ ଯୋଡ଼ି ହୋଇଥିଲେ। ନିଜର ଏହି ଉପଲବ୍ଧିକୁ ନେଇ ଷ୍ଟାନ ଏକ ପୋଷ୍ଟ ଲେଖି କହିଛନ୍ତି, ତୁମେ ଗୀତ ବନାଅ, ମୁଁ ଇତିହାସ ରଚିବି।

ତେବେ ଶୋ’ ବିଜେତା ହେବା ପରେ ଷ୍ଟାନଙ୍କୁ ଅନେକ ଲୋକପ୍ରିୟ ବ୍ରାଣ୍ଡ ଯୋଗାଯୋଗ କରିଛନ୍ତି। ରିପୋର୍ଟ ମୁତାବକ ସେ ଆମାଜନ ମିନି ଟିଭି ସହ ଏକ ଚୁକ୍ତି ସ୍ବାକ୍ଷର କରିସାରିଛନ୍ତି।

Share