ଆଉ ଘରକୁ ଫେରିବେ ନାହିଁ ବୋଲି ଜାଣିପାରିଥିଲେ ଧର୍ମେଶ, ଭଉଣୀ ବାନ୍ଧିଥିଲେ ରାକ୍ଷୀ

ବମ୍ବେ: ବଲିଉଡ ଚଳଚ୍ଚିତ୍ର ‘ଗଲିବୟ’ରୁ ଚର୍ଚ୍ଚାକୁ ଆସିଥିବା ରାପର ଧର୍ମେଶ ପରମାରଙ୍କ ମୃତ୍ୟୁ ପ୍ରଶଂସକଙ୍କ ଲାଗି ଶକ୍ତ ଝଟକାଠାରୁ କମ୍‌ ନୁହେଁ। ସଙ୍ଗୀତକୁ ଜୀବନର ସବୁକିଛି ଭାବୁଥିବା ଏହି କଳାକାର ମାତ୍ର ୨୪ ବର୍ଷରେ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ମଙ୍ଗଳବାର ଏହି ଖବର ସାମ୍ନାକୁ ଆସିଥିଲେ ହେଁ ମୃତ୍ୟୁ ପଛର କାରଣ ଜଣାପଡ଼ି ନ ଥିଲା। ହେଲେ ଆଜି ଧର୍ମେଶଙ୍କ ମା’ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି।

ବୟସରେ ବହୁତ ସାନ ହୋଇଥିଲେ ହେଁ ଧର୍ମେଶ ହୃଦରୋଗରେ ପୀଡ଼ିତ ଥିଲେ। ଗତ ଚାରି ମାସରେ ତାଙ୍କର ଦୁଇ ଥର ହାର୍ଟ ଆଟାକ୍‌(ହୃଦଘାତ) ହୋଇଥିଲା। ଏଥିଲାଗି ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା। ନିକଟରେ ନାସିକ ଟ୍ରିପ୍‌ରେ ଯାଇଥିବା ବେଳେ ପୁନର୍ବାର ହୃଦ୍‌ଘାତ ହେବାରୁ ତାଙ୍କର ଜୀବନ ଯାଇଛି। କେବଳ ସେତିକି ନୁହେଁ ମୃତ୍ୟୁ ପୂର୍ବରୁ ଧର୍ମେଶଙ୍କୁ ତା’ର ଆଭାସ ହୋଇଥିଲା। ହୋଲିର ଗୋଟିଏ ଦିନ ପୂର୍ବରୁ ସେ ଦୁଇ ଭଉଣୀଙ୍କୁ ରାକ୍ଷୀ ବାନ୍ଧିବାକୁ କହିଥିଲେ ବୋଲି ତାଙ୍କ ମା’ କହିଛନ୍ତି।

Share