ଝାରସୁଗୁଡା ଅଫିସ,୧୦।୪: ଏକ ଗାଡ଼ି ଧକ୍କାରେ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମ୍ସିଏଲ୍) ଲଜକୁରା କୋଇଲା ଖଣିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ମୃତ୍ୟୁ ଘଟିଛି। ସେ ହେଲେ ରତିକାନ୍ତ ସାହୁ(୫୮)। ସେ ଲଜକୁରା କୋଇଲା ଖଣିରେ ଇଲେକ୍ଟ୍ରିକାଲ ସେକ୍ସନରେ କାମ କରୁଥିଲେ ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ମୃତ କର୍ମଚାରୀଙ୍କ ଜ୍ବାଇଁ ସୁଭ ନାରାୟଣ ସାହୁଙ୍କ ଅଭିଯୋଗକୁ ଭିତ୍ତିକରି ବ୍ରଜରାଜନଗର ଥାନା ପୋଲିସ ଏକ ମାମଲା(ନଂ.୯୮/୨୨) ରୁଜୁ କରିଛି। ଅନ୍ୟପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।
ଅନ୍ୟପକ୍ଷେ ଏମ୍ସିଏଲରେ କାର୍ଯ୍ୟରତ ଶ୍ରମିକ ସଂଗଠନ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଥିଲେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ଦୁର୍ଘଟଣାସ୍ଥଳରୁ କର୍ମଚାରୀଙ୍କ ମୃତଦେହ ଉଠିଥିଲା। ମୃତ କର୍ମଚାରୀଙ୍କ ଏକ ମାତ୍ର ପୁଅ ପଞ୍ଚାବରେ ପଢୁଛନ୍ତି। ବାପାଙ୍କ ମୃତ ଖବର ପାଇ ସୋମବାର ସେ ଝାରସୁଗୁଡାରେ ପହଞ୍ଚିବେ । ପୁଅ ଆସିବା ପର୍ଯ୍ୟନ୍ତ ମୃତଦେହ କମ୍ପାନୀର ସେଣ୍ଟ୍ରାଲ ହସ୍ପିଟାଲରେ ରଖାଯାଇଛି।