ଓପିଜିସି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି: ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୧ା୮(ଡି.ଏନ୍‌.ଏ.): ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଶନିବାର ସକାଳ ୮.୫୪ ମିନିଟ୍‌ରୁ ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ପ୍ରକଳ୍ପର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, ପ୍ରଥମ ୟୁନିଟ୍‌ରୁ ଲିକେଜ ହେବା ଫଳରେ ୟୁନିଟ୍‌କୁ ବନ୍ଦ କରି ଦିଆଯାଇଛି। ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇ ୭୨ ଘଣ୍ଟା ମଧ୍ୟରେ ୟୁନିଟ୍‌ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ।
ସୂଚନାଥାଉ କି, ପ୍ରକଳ୍ପର ରକ୍ଷଣାବେକ୍ଷଣ ଠିକ୍‌ରେ କରାଯାଉ ନ ଥିବାରୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି। ଏଥିପାଇଁ ବାରମ୍ବାର ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଫଳରେ କମ୍ପାନୀର ବହୁ କୋଟି ଟଙ୍କା କ୍ଷତି ହେଉଛି। ଏଥି ମଧ୍ୟରେ ଚଳିତବର୍ଷ ଜାନୁୟାରୀରୁ ଅଦ୍ୟାବଧି ପ୍ରଥମ ୟୁନିଟ୍‌ ୨ଥର ଓ ଦ୍ବିତୀୟ ୟୁନିଟ୍‌ ୨ ଥର ଯାନ୍ତ୍ରିକ ତ୍ରୁଟି ପାଇଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ କର୍ମଚାରୀ ମହଲରେ ଦାବି ହେଉଛି।