Categories: ଖେଳ

ହକି, ସ୍କ୍ବାଶ୍‌, ବ୍ରିଜ୍‌ରୁ ପଦକ ପକ୍କା

ହାଙ୍ଗଝୋ,୫ା୧୦(ପି.ଟି.): ୧୯ ତମ ଏସିଆନ୍‌ ଗେମ୍ସରେ ହକି, ସ୍କ୍ବାଶ୍‌ ଓ ବ୍ରିଜ୍‌ରେ ପଦକ ପକ୍କା କରିଛି ଭାରତ। ପୁରୁଷ ହକି ଦଳ ଦକ୍ଷିଣ କୋରିଆକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଦଳ ଜାପାନକୁ ଭେଟିବ। ଏହା ସହିତ ଏହି ଟୁର୍ନାମେଣ୍ଟ ବିଜୟୀ ହେଲେ ଭାରତ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବ। ଭାରତ ପକ୍ଷରୁ ହାର୍ଦ୍ଦିକ ସିଂ(୫), ମନଦୀପ ସିଂ(୧୧), ଲଳିତ ଉପାଧ୍ୟାୟ(୧୫), ଅମିତ ରୋହିଦାସ(୨୪) ଓ ଅଭିଷେକ(୫୪) ମିନିଟରେ ଭାରତ ପକ୍ଷରୁ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। କୋରିଆ ପକ୍ଷରୁ ମାନ୍‌ଜାଏ ଜୁଙ୍ଗ (୧୭, ୨୦ ଓ ୪୨) ମିନିଟରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଭାରତ ପ୍ରଥମ କ୍ୱାର୍ଟରରେ ୩-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଜୁଙ୍ଗ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଚାପରେ ରଖିଥିଲେ।
ସ୍କ୍ବାଶରେ ଭାରତୀୟ ଯୋଡି ଦୀପିକା ପାଲିକଲ୍‌-ହରିନ୍ଦର ପାଲ ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିବା ବେଳେ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ସୌରଭ ଘୋଷାଲ। ଅନ୍ୟତମ ମିକ୍ସଡ ଡବଲ୍ସ ଯୋଡି ଅନହତ ସିଂ-ଅଭୟ ସିଂ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ମାଲେସିଆ ଖେଳାଳିଙ୍କ ନିକଟରୁ ଉଭୟ ୧୧-୮, ୨-୧୧ ଓ ୯-୧୧ ସେଟରେ ହାରି ଯାଇଥିଲେ। ଦୀପିକା ପାଲିକଲ୍‌-ହରିନ୍ଦର ପାଲଙ୍କ ଯୋଡି ୭-୧୧, ୧୧-୭ ଓ ୧୧-୯ରେ ହଂକଂ ଯୋଡିକୁ ପରାସ୍ତ କରିଥିଲେ।

ବ୍ରିଜ୍‌ ଇଭେଣ୍ଟରେ ଭାରତ ୨-୧ରେ ଚାଇନାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବୁଧବାର ସେମି ଫାଇନାଲରେ ଭାରତ ୧୫୫.୬୦ ପଏଣ୍ଟ ସ୍କୋର କରିଥିବା ବେଳେ ଚାଇନା ୧୩୫ ପଏଣ୍ଟ ସ୍କୋର କରିଥିଲା। ଭାରତ ଓ ହଂକଂ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୩ ଭାରତୀୟ। ପି.ଭି ସିନ୍ଧୁ, ଏଚ୍‌. ଏସ୍‌. ପ୍ରଣୟଙ୍କ ସମେତ ଡବଲ୍ସ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ଅନ୍ତିମ ୮ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ସେହିପରି ଭାରତୀୟ ପୁରୁଷ ଓ ମହିଳା କବାଡି ଦଳ ଥାଇଲାଣ୍ଡ ବିପକ୍ଷରେ ବୃହତ୍‌ ବିଜୟ ହାସଲ କରିଛନ୍ତି। ବୁଧବାର ପୁରୁଷ ଦଳ ୬୩-୨୬ରେ ବିଜୟୀ ହୋଇଥିବା ବେଳେ ମହିଳା ଦଳ ୫୪-୨୨ ପଏଣ୍ଟରେ ବିଜୟ ହାସଲ କରିଥିଲା।

Share