Categories: ଜାତୀୟ

କୋର୍ଟ ଶୁଣାଣିର ମିଡ଼ିଆ ରିପୋର୍ଟିଂ ରୋକା ଯାଇ ପାରିବ ନାହିଁ: ଇସିଙ୍କୁ ଏସ୍‌ସିଙ୍କ ଉତ୍ତର..

ନୂଆଦିଲ୍ଲୀ,୬।୫: କୋର୍ଟ ଶୁଶାଣିର ମିଡ଼ିଆ ରିପୋର୍ଟିଂକୁ ରୋକା ଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ(ଏସ୍‌ସି) ନିର୍ବାଚନ ଅୟୋଗ(ଇସି)ଙ୍କୁ ଉତ୍ତର ଦେଇଛନ୍ତି। ମାଡ୍ରାସ୍‌ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ବିରୋଧରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟ ଦାଖଲ କରାଯାଇଥିବା ଆବେଦନର ବିଚାର କରି ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ,କୋର୍ଟର ଶୁଣାଣିର ମୌଖିକ ବିବରଣୀର ରିପୋର୍ଟିଂ କରିବା କ୍ଷେତ୍ରରେ ମିଡ଼ିଆକୁ ବାଧା ଦିଆଯାଇ ପାରିବ ନାହିଁ। ଔପଚାରିକ ଭାବେ କୋର୍ଟର ଆଦେଶକୁ ରିପୋର୍ଟିଂ ପରିସରଭୁକ୍ତ କରିବା ଲାଗି ମିଡ଼ିଆକୁ ନିଦ୍ଦେର୍ଶ ଜାରି ନିମନ୍ତେ ନିର୍ବାଚନ ଆୟୋଗ ଆବେଦନରେ ଉଲ୍ଲେଖ କରିଥିଲେ। ତେବେ ଏଭଳି ନିର୍ଦ୍ଦେଶ ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କୁହାଯାଇଛି ଯେ, ମିଡ଼ିଆର ସ୍ବାଧିନତାକୁ କେବଳ କୋର୍ଟର ଔପଚାରିକ ଆଦେଶ ମଧ୍ୟରେ ସୀମିତ ରଖାଯାଇ ପାରିବ ନାହିଁ। ଶୁଣାଣିର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ମିଡ଼ିଆ ରିପୋର୍ଟିଂ କରିପାରିବେ। ଉଦାହରଣ ଦେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଇଣ୍ଟରନ୍ୟାଶନାଲ କୋର୍ଟ ପକ୍ଷରୁ ମାମଲା ଶୁଣାଣିର ଲାଇଭ୍‌ ଷ୍ଟ୍ରିମିଂର ଅନୁମତି ପ୍ରଦାନ କରାଯାଇଛି। ସେହିପରି ଗୁଜରାଟ ହାଇକୋର୍ଟ ମଧ୍ୟ ଏହାକୁ ସ୍ବୀକୃତି ଦେଇଛନ୍ତି। ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ହାଇକୋର୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସେହିପରି ଗତ ୭୦ ବର୍ଷ ଧରି ଦେଶରେ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାରେ ନିର୍ବାଚନ ଆୟୋଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। କରୋନା ମହାମାରୀ ସଂକ୍ରମଣ ନେଇ ମାଡ୍ରାସ୍‌ ହାଇକୋର୍ଟ ଟିପ୍ପଣୀ ଦେଇଥିଲେ। ତେବେ ଏହା ଅଧିକ କଡ଼ା ସ୍ବରରେ ଥିଲା ବୋଲି ଚନ୍ଦ୍ରଚୂଡ଼ ପ୍ରକାଶ କରିଛନ୍ତି। ଟିପ୍ପଣୀ ସମୟରେ ସାବଧାନତା ଅବଲମ୍ବନର ଆବଶ୍ୟକତା ଥିଲା। କାରଣ ଏହାର ଭିନ୍ନ ଅର୍ଥ ମଧ୍ୟ ଦର୍ଶାଯିବାର ଆଶଙ୍କା ରହିଛି। ମାତ୍ର ଟିପ୍ପଣୀ ଆଦେଶର ଅଂଶବିଶେଷ ନୁହେଁ। ମିଡ଼ିଆ ରିପୋର୍ଟିଂ ନ୍ୟାୟପାଳିକାର ଦାୟିତ୍ୱବୋଧର ପ୍ରତିପାଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଅପରିହାର୍ଯ୍ୟ। ତେଣୁ ଏହାକୁ ରୋକା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Share