Categories: ଜାତୀୟ

ବାଲାକୋଟ ଷ୍ଟ୍ରାଇକ୍‌ ସମ୍ପର୍କିତ ସୂଚନା ୩ ଦିନ ପୂର୍ବରୁ ଜାଣିଥିଲେ ଗଣମାଧ୍ୟମ ପ୍ରତିନିଧି

ନୂଆଦିଲ୍ଲୀ,୧୮।୧: ବାଲାକୋଟ ଷ୍ଟ୍ରାଇକ୍‌ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ ଘେରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜଣେ ଗଣମାଧ୍ୟମ ପ୍ରତିନିଧି ଏବଂ ତାଙ୍କ ବନ୍ଧୁଙ୍କ ପାଖରେ ଏ ସମ୍ପର୍କିତ ସୂଚନା ୩ ଦିନ ପୂର୍ବରୁ ରହିଥିଲା ବୋଲି କଂଗ୍ରେସ ପକ୍ଷରୁ ପି. ଚିଦାମ୍ବରମ୍‌ କହିଛନ୍ତି। ଏହା ଦେଶର ସୁରକ୍ଷା ପ୍ରତି ପ୍ରଶ୍ନ ସୃଷ୍ଟି କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କଠାରୁ ଜବାବ ମାଗିଛନ୍ତି। ଦେଶର ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା କିଭଳି ସରକାରଙ୍କୁ ସମର୍ଥନ କରୁଥିବା ଗଣମାଧ୍ୟମ ସଂସ୍ଥା ପାଖରେ ପହଞ୍ଚିଲା ଏହା ଚିଦାମ୍ବରମ୍‌ ପ୍ରଶ୍ନ କରିଛନ୍ତି। ସେ ଏନେଇ ଟୁଇଟ୍‌ କରିବା ସହିତ ଏହାକୁ ରାଜନାଥଙ୍କ ସହିତ ଟ୍ୟାଗ୍‌ କରିଛନ୍ତି। ଏହି ଖବର ପାକିସ୍ତାନ ଗୁପ୍ତଚର ସଂସ୍ଥାଙ୍କ ହସ୍ତଗତ ହୋଇ ନ ଥିବ ବୋଲି ନିଶ୍ଚିତ ଭାବେ କୌଣସି ଉତ୍ତର ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏସମ୍ପର୍କିତ ତଥ୍ୟ ସାର୍ବଜନୀକ ଭାବେ ଉପସ୍ଥାପନ କରି ନିଜସ୍ବ ପକ୍ଷ ରଖିବା ଉପରେ ଚିଦାମ୍ବରମ୍‌ ଗୁରୁତ୍ୱାରୋପ କରିଛନ୍ତି। ଏବେ ଚିଦାମ୍ବରମ୍‌ଙ୍କ ଏଭଳି ଟୁଇଟ୍‌ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share