Categories: ଜାତୀୟ

କେରଳରେ ବିପଦରେ ଗଣମାଧ୍ୟମ: ଥରୁର…

ଥିରୁଭାନନ୍ତପୁରମ,୧୩।୬ : କଂଗ୍ରେସ ଏମପି ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର କେରଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ) ସରକାର ବିରୋଧରେ ଥରୁର କହିଛନ୍ତି ରାଜ୍ୟରେ ଗଣମାଧ୍ୟମ ସ୍ବାଧୀନତା ବିପଦରେ ରହିଛି। ଯେଉଁ ଖବରଦାତାମାନେ ସେମାନଙ୍କ କାର୍ଯ୍ୟକୁ ଏକ ଉତ୍ତମ ଢଙ୍ଗରେ କରୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ସୂଚନାନୁସାରେ, ମାର୍କ ତାଲିକା ବିବାଦରେ ଛାତ୍ର ନେତାଙ୍କ ଅଭିଯୋଗ ଉପରେ କେରଳ ପୋଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା,। ଯାହା ପରେ ସରକାର ବିରୋଧୀଙ୍କ ପ୍ରଶ୍ନ ଘେରରେ ଆସିଛନ୍ତି। ମହାରାଜା ମହାବିଦ୍ୟାଳୟର ଛାତ୍ର ନେତା ପିଏମ ଅର୍ଶୋଙ୍କ ଅଭିଯୋଗ କ୍ରମେ ପୋଲିସ କଲେଜ ପ୍ରିନ୍ସପଲ ଭି.ଏସ ଜୟ, କେଏସୟୁ ରାଜ୍ୟ ସଭାପତି ଆଲୋଟିୟସ ଜାଭିୟର୍‌, ଏର୍ନାକୁଲମର ପୂର୍ବତନ ସଂଯୋଜକ ବିନୋଦ କୁମାର, ଖବରଦାତା ଫାଜିଲ ସିଏ ଏବଂ ଅଖିଲ ନନ୍ଦକୁମାରଙ୍କ ବିରୋଧରେ ଏଫଆଇଆର୍‌ କରିଥିଲା। ଏହି ପାଞ୍ଚ ଜଣଙ୍କୁ କେରଳ ପୋଲିସ ଅଧିନିୟମ ୨୦୧୧ ର ଆଇପିସି ଧାରା ୧୨୦-ବି, ୪୬୫, ୪୬୯, ୫୦୦ ଏବଂ ୧୨୦ ଅନୁଯାୟୀ ଅପରାଧିକ ଷଡଯନ୍ତ୍ର, ଜାଲିଆତି ଏବଂ ବଦନାମ ପାଇଁ ମାମଲା ଦାଏର କରାଯାଇଛି।

କଂଗ୍ରେସ ନେତା ଥରୁର ପିନାରାଇ ସରକାରଙ୍କୁ ଟୁଇଟ କରି କହିଛନ୍ତି ଉତ୍କର୍ଷତା ଏବଂ ନିରପେକ୍ଷତା ସହ କାର୍ଯ୍ୟ କରୁଥିବା ଖବରଦତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ମୁଁ ଏହା ଦ୍ୱାରା ଆଘାତ ପାଇଛି। ଗଣତନ୍ତ୍ର ପାଇଁ ଗଣମାଧ୍ୟମର ସ୍ବାଧୀନତା ଜରୁରୀ। ଏହା ସହିତ ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ଜଣେ ଫରାସୀ ଲେଖକଙ୍କ ବାକ୍ୟ ଲେଖାଯାଇଛି ମୁଁ ହୁଏତ ତୁମ ସହ ଅସହମତ ହୋଇପାରେ କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ତୁମର ଅଧିକାର ରକ୍ଷା କରିବି।

Share