ବର୍ଷକରେ ୨୯ ଦେଶର ୧୧୫ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା

ଜେନେଭା,୧୬।୧୨(ଆଇଏଏନ୍‌ଏସ୍‌):ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ୨୯ ଦେଶରେ ମୋଟ ୧୧୫ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ୍‌ ଏବଂ ମେକ୍ସିକୋ ଗଣମାଧ୍ୟମ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ସବୁଠୁ ବିପଜ୍ଜନକ ବୋଲି ଜେନେଭାସ୍ଥିତ ମାନବାଧିକାର ସଂସ୍ଥା ରିପୋର୍ଟରେ କୁହାଯାଇଛି। ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ଦକ୍ଷିଣ ଆମେରିକା ସର୍ବାଗ୍ରେ ରହିଛି। ଏଠାରେ ୩୯ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଥିବାବେଳେ ୟୁରୋପରେ ୩୭, ଏସିଆରେ ୩୦, ଆଫ୍ରିକାରେ ୭ ଏବଂ ଉତ୍ତର ଆମେରିକାରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ପ୍ରେସ୍‌ ଏମ୍ବ୍ଲେମ୍‌ କ୍ୟାମ୍ପେନ୍‌(ପିଇସି) ରିପୋର୍ଟରେ କୁହାଯାଇଛି। ୧୯୯୨ରୁ ୧୯୯୯ ମଧ୍ୟରେ ପୂର୍ବତନ ଯୁଗୋସ୍ଲାଭିଆରେ ଯୁଦ୍ଧଠାରୁ ୟୁରୋପରେ ସାମ୍ବାଦିକମାନଙ୍କ ନିରାପତ୍ତା ହ୍ରାସ ଘଟିଛି। ଫେବୃୟାରୀ ୨୪ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ସେଠାରେ ୩୪ ଜଣଙ୍କ ଜୀବନ ଗଲାଣି। ସେଥିରୁ ୮ ଜଣ ଖବରଦାତା କର୍ତ୍ତବ୍ୟରେ ଥାଇ ନିହତ ହୋଇଛନ୍ତି। ସେହିପରି ମେକ୍ସିକୋରେ ବର୍ଷକ ମଧ୍ୟରେ ୧୭ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ସେମାନେ ଅପରାଧୀ ଗ୍ୟାଙ୍ଗ୍‌ଗୁଡ଼ିକର ଟାର୍ଗେଟର ଶିକାର ହୋଇଛନ୍ତି। ତୃତୀୟ ସ୍ଥାନରେ ଥିବା ହାଇତିରେ ୮ ଖବରଦାତା ନିହତ ହୋଇଥିବାବେଳେ ପାକିସ୍ତାନରେ ୬, ଫିଲିପାଇନ୍ସରେ ୫, କଲମ୍ବିଆରେ ୪ ଏବଂ ଭାରତରେ ୪ ଖବରଦାତାଙ୍କ ଜୀବନ ଯାଇଛି। ସେହିପରି ବାଂଲାଦେଶ, ହଣ୍ଡୁରାସ, ଇସ୍ରାଏଲ୍‌/ପାଲେଷ୍ଟାଇନ ଏବଂ ୟେମେନରେ ୩ ଜଣ ଲେଖାଏ ଗଣମାଧ୍ୟମ ପ୍ରତିନିଧି ନିହତ ହୋଇଛନ୍ତି। ବ୍ରାଜିଲ, ଚାଦ୍‌, ଇକ୍ୱେଡର, ମ୍ୟାନ୍‌ମାର, ସୋମାଲିଆ, ସିରିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୨ ଜଣ ଲେଖାଏ ଖବରଦାତାଙ୍କୁ ହତ୍ୟା କରାଯାଇଛି। କେନ୍ଦ୍ରୀୟ ଆଫ୍ରିକା ରିପବ୍ଲିକ୍‌, ଚିଲି, କଙ୍ଗୋ, ଗୁଏଟମାଲା, କାଜାଖସ୍ତାନ, କେନିଆ, ପାରାଗୁଏ, ରୁଷିଆ, ସୁଇଡେନ୍‌, ତୁର୍କୀ ଏବଂ ଭିଏଟ୍‌ନାମରେ ଜଣେ ଲେଖାଏ ଖବରଦାତା ନିହତ ହୋଇଛନ୍ତି।
ଗତବର୍ଷ ଆଫଗାନିସ୍ତାନରେ ୧୨ ଖବରଦାତା ନିହତ ହୋଇଥିବାବେଳେ ଚଳିତ ବର୍ଷ କେହି ହତ୍ୟାର ଶିକାର ହୋଇନାହାନ୍ତି। ଅବଶ୍ୟ ସେଠାର ଅନେକ ଖବରଦାତା ଦେଶ ଛାଡ଼ି ପଳାଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ସାମ୍ବାଦିକ ହତ୍ୟା ଘଟଣା ୪୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ରେ ୭୯ ଜଣ ଗଣମାଧ୍ୟମ କର୍ମଚାରୀ ନିହତ ହୋଇଥିଲେ। ଗତ ୫ ବର୍ଷକୁ ହିସାବକୁ ନେଲେ ମେକ୍ସିକୋରେ ସର୍ବାଧିକ ୬୯ ଜଣ ଖବରଦାତା ନିହତ ହୋଇଥିବାବେଳେ ଆଫଗାନିସ୍ତାନରେ ୪୪, ଭାରତରେ ୩୭, ୟୁକ୍ରେନରେ ୩୬, ପାକିସ୍ତାନରେ ୩୪, ସିରିଆରେ ୨୪, ଫିଲିପାଇନ୍ସରେ ୨୧, ୟେମେନରେ ୧୭, ହଣ୍ଡୁରାସ୍‌ରେ ୧୩, ସୋମାଲିଆରେ ୧୩, ବ୍ରାଜିଲରେ ୧୨ ଏବଂ ହାଇତିରେ ୧୧ ଜଣ ନିହତ ହୋଇଛନ୍ତି। ୨୦୧୩ରୁ ୨୦୨୨ ମଧ୍ୟରେ ମୋଟ ୧,୧୩୫ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି, ଅର୍ଥାତ୍‌ ବାର୍ଷିକ ହାରାହାରି ୧୧୩ ଜଣଙ୍କୁ ହତ୍ୟା କରାଯାଇଥିବା ପିଇସି ରିପୋର୍ଟରେ କୁହାଯାଇଛି।

Share