Categories: ଜାତୀୟ

୧୮ରେ ବର୍ଷା-ଅନୁଭବଙ୍କ ମଧ୍ୟରେ ମେଡିଏଶନ

ନୂଆଦିଲ୍ଲୀ, ୧୨।୧୧ (ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲାର ଆପୋସ ବୁଝାମଣା ନିମନ୍ତେ ଆସନ୍ତା ୧୮ତାରିଖରେ ମେଡିଏଶନ(ମଧ୍ୟସ୍ଥତା) କରାଯିବ। ସୁପ୍ରିମକୋର୍ଟଙ୍କ ମେଡିଏଶନ ସେଣ୍ଟର ଏହି ନିଷ୍ପତ୍ତି ନେଇଛି। ଏହି ମଧ୍ୟସ୍ଥତା ଅପରାହ୍ନ ୩ଟାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କରାଯିବ। ଏନେଇ ଉଭୟ ପକ୍ଷଙ୍କୁ ଜଣାଇଦେବାକୁ ସେମାନଙ୍କ ଓକିଲଙ୍କୁ ସୂଚନା ଦିଆଯାଇଛି। ମଧ୍ୟସ୍ଥତା ସମୟରେ ଅନୁଭବ-ବର୍ଷା ଦମ୍ପତି ଯେପରି ଆପୋସ ବୁଝାମଣାରେ ସେମାନଙ୍କ ସୁଖଦାମ୍ପତ୍ୟ ଜୀବନ ବିତାଇ ପାରିବେ, ସେନେଇ ଚେଷ୍ଟା କରାଯିବ ବୋଲି ମଧ୍ୟସ୍ଥତା କେନ୍ଦ୍ର ପକ୍ଷରୁ କୁହାଯାଇଛି। ପୂର୍ବରୁ ଅନୁଭବଙ୍କ ଓକିଲ ଅଶ୍ୱିନୀ କୁମାର ଦୁବେ ବର୍ଷାଙ୍କ ଓକିଲଙ୍କ ସହ ଆଲୋଚନା କରି ନଭେମ୍ବର ୧୫ରେ ମଧ୍ୟସ୍ଥତା କରିବାକୁ ଠିକ୍‌ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହାକୁ ୧୮ ତାରିଖକୁ ଘୁଞ୍ଚାଯାଇଛି। ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ରେ ହେବ। ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ପତ୍ନୀ ବର୍ଷାଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ହେଲେ ବର୍ଷା ଉକ୍ତ ମାମଲାକୁ ଦିଲ୍ଲୀରୁ କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଗତ ଅକ୍ଟୋବର ୧୬ରେ ବିଚାରପତି ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଉକ୍ତ ଆବେଦନର ଶୁଣାଣି କରି ଉଭୟ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଆପୋସ ବୁଝାମଣା କିପରି କରାଯାଇପାରିବ ସେନେଇ ପ୍ରସ୍ତାବ ଦେଇଥିଲେ।

Share