ଭଣଜାଙ୍କୁ ଯୋଜନା ମୁତାବକ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମାମୁ

ଉଦଳା,୭ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳୀ ଜଳପ୍ରପାତରେ ବୁଡ଼ି ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳର ଡାକ୍ତରୀ ଛାତ୍ର ଲିପେନ ସାହୁଙ୍କ ମୃତ୍ୟୁ ଘଟଣା ବୁଧବାର ଭିନ୍ନ ମୋଡ଼ ନେଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଏହା ଦୁର୍ଘଟଣା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ଛାତ୍ରଙ୍କ ମାମୁ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୧୭୯/୨୩) ରୁଜୁ କରିଛି।
ସୂଚନାଯୋଗ୍ୟ, ରବିବାର ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଲିପେନ ୭ ଜଣ ସହପାଠୀଙ୍କ ସହିତ ଦେବକୁଣ୍ଡ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିଲେ। ସେଠାରେ ସେ ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ମୃତଦେହ ଡାକ୍ତରଖାନାକୁ ଆଣି ବ୍ୟବଚ୍ଛେଦ ନିମନ୍ତେ ପୋଲିସ୍‌ ପ୍ରସ୍ତୁତ ହେଉଥିବା ବେଳେ ମୃତ ଲିପେନଙ୍କ ମାମୁ ପହଞ୍ଚି ସହପାଠୀମାନେ ଲିପେନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଲିପେନ ଭଲ ପାଠ ପଢୁଥିବାରୁ ପୂର୍ବରୁ ତାଙ୍କୁ ସହପାଠୀମାନେ ଦୁଇ ଥର ମାଡ଼ ମାରିଥିବା ଏବଂ ରାଗିଂ କରିଥିବା ଅଭିଯୋଗରେ ଦର୍ଶାଯାଇଛି।
Share