କୋଭିଡ୍‌ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କଲେ ସରକାର

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍‌ ଲାଗୁନି। ତେବେ ଏହାର ମୁକାବିଲା ଓ ପରିଚାଳନାରେ ରାଜ୍ୟ ସରକାର ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନିୟୋଜିତ କରିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୬ ଜଣ ଇଣ୍ଟର୍ନଙ୍କୁ ୧୦୪ କଲ ସେଣ୍ଟରରେ ନିୟୋଜିତ କରାଯାଇଛି। ସେମାନେ ଭୁବନେଶ୍ୱରସ୍ଥିତ ଇଡକୋ ଟାଓ୍ବାରରେ ଖୋଲା ଯାଇଥିବା ଏହି ୧୦୪ କଲ୍‌ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।

ଏମାନେ ହେଲେ ଡା.ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ, ସୁମନ ସ୍ମିଥ ଅଧିକାରୀ, ପବନ ଅଗ୍ରଓ୍ବାଲ ଓ ଅନମୋଲ ଅଗ୍ରଓ୍ବାଲ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଚଳିତମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି।

Share