ସୁମିରୁ ଆରମ୍ଭ ହେଲା ରେସକ୍ୟୁ ଅପରେଶନ: ଉଦ୍ଧାର ହେବେ ୭ଶହ ଭାରତୀୟ ଛାତ୍ର

କ୍ୱିଭ୍‌,୮।୩: ୟୁକ୍ରେନର ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ବାହାର କରିବା ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁମିରୁ ଫସି ରହିଥିବା ଡାକ୍ତରୀ ଛାତ୍ରମାନଙ୍କୁ ରେଡ୍‌ କ୍ରସ ଏବଂ ଭାରତୀୟ ଦୂତାବାସର ଅଧିକାରୀମାନେ ସ୍ଥାନାନ୍ତର କରାଉଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ସୁମିରେ ପ୍ରାୟ ୭୦୦ ଭାରତୀୟ ଛାତ୍ର ଫସି ରହିଛନ୍ତି। ରୁଷିଆର ଗୁଳି ବିନିମୟ ଯୋଗୁ ସେମାନଙ୍କୁ ଏପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇପାରିନାହିଁ। ସୂଚନାଯୋଗ୍ୟ, ରୁଷିଆ ମଙ୍ଗଳବାର ଅସ୍ତ୍ରବିରତି ଘୋଷଣା କରି ମାନବିକ କରିଡର ନିର୍ମାଣ କରିବାକୁ ରାଜି ହୋଇଛି। ଏଥିରେ ୟୁକ୍ରେନର ସୁମିଠାରୁ ୟୁକ୍ରେନର ପୋଲଟାଭା ଓ ରୁଷିଆର ବେଲଗୋରୋଡ ପର୍ଯ୍ୟନ୍ତ ରାସ୍ତା ଦେଇ ସେମାନଙ୍କୁ ଉଦ୍ଧାର କରାଯିବା ଉପରେ ଆଲୋଚନା ହୋଇଛି। ସୁମିରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ପୋଲଟାଭା ଓ ବେଲଗୋରୋଡକୁ ସ୍ଥାନାନ୍ତର କରାଯିବ। ଏହାପରେ ବିମାନ, ରେଳ ଏବଂ ସଡକ ପରିବହନ ଦ୍ୱାରା ସେମାନଙ୍କୁ ମନୋନୀତ ସ୍ଥାନକୁ ପଠାଯିବ। ଦକ୍ଷିଣ ପାର୍ଶ୍ୱରେ ଥିବା ଅସ୍ଥାୟୀ ବାସସ୍ଥାନକୁ ମଧ୍ୟ ପଠାଯାଇପାରେ ବୋଲି କୁହାଯାଉଛି। ଏହାପୂର୍ବରୁ ସୋମବାର ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ। ସେତେବେଳେ ସୁମିରେ ଫସି ରହିଥିବା ଭାରତୀୟଙ୍କ ବିଷୟରେ ଆଲୋଚନା କରିଥିଲେ।

Share