Categories: ଖେଳ

ମୀନା, ଜ୍ୟୋତ୍ସ୍ନାଙ୍କୁ ସ୍ବର୍ଣ୍ଣ, ଝିଲି ରୌପ୍ୟ

ଭୁବନେଶ୍ୱର, ୧୩ା୭(ତପନ ସ୍ବାଇଁ): ଗ୍ରେଟର ନଏଡ଼ାଠାରେ ବୁଧବାର ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଓଡ଼ିଶା ଭାରୋତ୍ତୋଳନ ଏଚ୍‌ପିସି ଆଥଲେଟ୍‌ ଜ୍ୟୋତ୍ସ୍ନା ଶବର ଓ ମୀନା ଶାନ୍ତା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୪୦ କେଜି ୟୁଥ୍‌ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍‌ରେ ୫୨ , କ୍ଲିନ୍‌ ଆଣ୍ଡ ଜର୍କରେ ୬୪ ଏହିପରି ମୋଟ ୧୧୬ କେଜି ଉତ୍ତୋଳନ କରି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ମୀନା ୫୫ କେଜି ବର୍ଗରେ ୧୬୦ (୭୩+୮୭) କେଜି ଉତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଛତିଶଗଡ଼ର ୨୦ ବର୍ଷୀୟ ଜ୍ଞାନେଶ୍ୱରୀ ଯାଦବ ୪୯ କେଜି ବର୍ଗରେ ୧୭୮ କେଜି ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପାଇଛନ୍ତି। ଓଡ଼ିଶାର ଝିଲି ଦଳବେହେରା ପ୍ରଥମ ଦିବସରେ ଅନୁଷ୍ଠିତ ୪୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ରୌପ୍ୟ ପଦକ ପାଇଛନ୍ତି। ୨୦୧୯ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ନ ଥିବା ବର୍ଷ ହିଁ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥାଏ। ଏହାକୁ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଫେଡେରେଶନ ଆୟୋଜନ କରିଥାଏ। ୨୦୨୩ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ୨୦ଟି ଦେଶର ୨୫୦ ଭାରୋତ୍ତୋଳକ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ୧୬ ତାରିଖରେ ଉଦ୍‌ଯାପିତ ହେବ।

Share