Categories: ଖେଳ

ମୀନା ସାନ୍ତାଙ୍କୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ୱର, ୧୩।୭(ତପନ ସ୍ବାଇଁ): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଛି। ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ସହ ମୋଟ ୧୦ ପଦକ ହାସଲ କରିଛନ୍ତି। ଶୁକ୍ରବାର ୬ଟି ଇଭେଣ୍ଟ ମଧ୍ୟରୁ ଏକାକୀ ମୀନା ସାନ୍ତା ୫ଟି ଇଭେଣ୍ଟରେ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ଓଡ଼ିଶା ହାଇପରଫର୍ମାନ୍ସ ସେଣ୍ଟରେ ଟ୍ରେନିଂ ନେଉଥିବା ମୀନା ସାନ୍ତା ୩ ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରୀମା ଭୋଇ ୧ ସ୍ବର୍ଣ୍ଣ, ସ୍ନେହା ସୋରେନ ୧ ରୌପ୍ୟ ଏବଂ ମୀନା ସିଂ, ବିଦୁସ୍ମିତା ଭୋଇ ଓ ଅଲିସା ବେହେରା ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମ ଦିବସରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୫ ପଦକ ମିଳିଥିଲା। ଫଳରେ ଓଡ଼ିଶା ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।

ଜୁନିୟର ମହିଳା ୫୫ କେଜିରେ ମୀନା ସାନ୍ତା ସ୍ନାଚ୍‌ରେ ୮୨ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୯୬ ଏହିପରି ମୋଟ ୧୭୮ କେଜି ଭାରୋତ୍ତୋଳନ କରି ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ଅରୁଣାଚଳ ପ୍ରଦେଶର ବୋନି ମଙ୍ଗଖ୍ୟା ୧୭୩ (୭୫+୯୮) କେଜି ସହ ରୌପ୍ୟ ଏବଂ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (ଏନ୍‌ସିଓଇ)ରୁ ପ୍ରତିନିଧିତ୍ୱ କରୁଥିବା ଆସାମର ଐସଙ୍ଗଫା ଗୋଗୋଇ ୧୬୭ (୭୩+୯୪) କେଜି ଉଠାଇ ବ୍ରୋଞ୍ଜ ପଦକ ପାଇଛନ୍ତି। ସିନିୟର ୫୫ କେଜିରେ ଓଡ଼ିଶାର ସ୍ନେହା ସୋରେନ ୧୮୮ (୮୦+୧୦୮) ଓ ମୀନା ସାନ୍ତା ୧୭୮ (୮୨+୯୬) କେଜି ଉତ୍ତୋଳନକରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ପଶ୍ଚିମବଙ୍ଗର ଶ୍ରାବଣୀ ଦାସ ୧୮୯ (୮୦+୧୦୯) କେଜି ଉଠାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅର୍ଥାତ୍‌ ସ୍ନେହା ମାତ୍ର ୧ କେଜି କମ୍‌ ଉଠାଇଥିବାରୁ ସ୍ବର୍ଣ୍ଣ ମିସ୍‌ କରିଛନ୍ତି। ୟୁଥ୍‌ ମହିଳା ୫୫ କେଜିରେ କିନ୍ତୁ ବାଜି ମାରିଛନ୍ତି ମୀନା ସାନ୍ତା। ସେ ୧୭୮ (୮୨+୯୬) କେଜି ଉତ୍ତୋଳନକରି ପ୍ରଥମ ସ୍ଥାନରେ ରହିଥିବାବେଳେ ଅନ୍ୟତମ ଓଡ଼ିଶା ଭାରୋତ୍ତୋଳିକା ମୀନା ସିଂ ୧୫୬ (୭୧+୮୫) କେଜି ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି (ଏନ୍‌ସିଓଇ)ରୁ ପ୍ରତିନିଧିତ୍ୱ କରୁଥିବା ଆସାମର ଐସଙ୍ଗଫା ଗୋଗୋଇ ୧୬୭ (୭୩+୯୪) କେଜି ସହ ରୌପ୍ୟ ପଦକ ପାଇଛନ୍ତି।

ଜୁନିୟର ମହିଳା ୫୯ କେଜିରେ ମୀନା ସାନ୍ତା ୧୬୪ (୭୩+୯୧) ଓ ବିଦୁସ୍ମିତା ଭୋଇ ୧୬୪ (୭୨+୯୨) କେଜି ଉତ୍ତୋଳନ କରିଥିଲେ। ତେବେ ମୀନାଙ୍କୁ ରୌପ୍ୟ ଓ ବିଦୁସ୍ମିତାଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ପଶ୍ଚିମବଙ୍ଗର ରାଜଶ୍ରୀ ବିଶ୍ୱାସ ୧୭୪ (୭୬+୯୮) କେଜି ଉଠାଇ ସ୍ବର୍ଣ୍ଣ ପାଇଥିଲେ। ସିନିୟର ମହିଳା ୫୯ କେଜିରେ ଓଡ଼ିଶାର ରୀମା ଭୋଇ ୧୮୫ (୮୨+୧୦୩) କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅରୁଣାଚଳ ପ୍ରଦେଶର ଲିଜା କମ୍‌ସା ୧୭୯ (୭୩+୧୦୬) ଓ ପଶ୍ଚିମବଙ୍ଗର ରାଜଶ୍ରୀ ବିଶ୍ୱାସ ୧୭୪ (୭୬+୯୮) କେଜି ଉତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପାଇଛନ୍ତି। ୟୁଥ୍‌ ମହିଳା ୫୯ କେଜିରେ ମୀନା ସାନ୍ତା ୧୬୪ (୭୩+୯୧) ସ୍ବର୍ଣ୍ଣ ଏବଂ ଅନ୍ୟତମ ଓଡ଼ିଶା ପ୍ରତିଯୋଗୀ ଅଲିସା ବେହେରା ୧୪୨ (୬୧+୮୧) ବ୍ରୋଞ୍ଜ ପଦକ ଜିତିଛନ୍ତି। ଝାଡ଼ଖଣ୍ଡର ସୀମା ମାରାଣ୍ଡି ୧୪୩ (୬୦+୮୩) କେଜି ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Share