ଲକ୍ଷ୍ନୌ: ଚାଇନା ସାମଗ୍ରୀକୁ ବର୍ଜନ କରିବା ନିମନ୍ତେ ଏବେ ସବୁଆଡ଼େ ଜୋର୍ଦାର ଅଭିଯାନ ଚାଲିଛି। ଏହି ଅଭିଯାନରେ ବିଶେଷ ଭୂମିକା ନେଇ ଚର୍ଚ୍ଚାକୁ ଆସିଛନ୍ତି ମୀନା ଗୁପ୍ତା। ସ୍ବଦେଶୀ କଳା ସଂସ୍କୃତିକୁ ନେଇ ବିଭିନ୍ନ ପ୍ରକାରର ରାଖୀ ତିଆରି କରି ଏବେ ସେ ଅନ୍ତର୍ଜାତୀୟ ସ୍ତରରେ ବି ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି।
ଉତ୍ତରପ୍ରଦେଶ ଇନ୍ଦିରାପୁରମ୍ରେ ଥିବା ସାୟାଝୋନିଥ୍ ସୋସାଇଟିରେ ରହନ୍ତି ମୀନା ଗୁପ୍ତା। ରାଖୀ ତିଆରି କରି ସେ ଏବେ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଇବା ସହିତ ଆମେରିକା ଓ ଲଣ୍ଡନରେ ମଧ୍ୟ ବିକ୍ରି କରି ପାରୁଛନ୍ତି। ଏହି ମାଧ୍ୟମରେ ସେ ନିଜେ ଭଲ ରୋଜଗାର କରିବା ସହିତ ପ୍ରାୟ ୫୦ ରୁ ଅଧିକ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରିଛନ୍ତି।
ମୀନା ପ୍ରଥମେ ତାଙ୍କ ଭାଇ ପାଇଁ ଘରେ ଥିବା ମାଳି ଏବଂ ମୋତିରେ ରାଖୀ ତିଆରି ଆରମ୍ଭ କରିଥିଲେ। କିନ୍ତୁ ଏହି ରାଖୀର ଡିଜାଇନ୍ ଏତେ ଭଲ ହୋଇଥିଲା ଯେ ଲୋକେ ତାଙ୍କୁ ଅଧିକ ରାଖୀ ତିଆରି କରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ମୀନା ରାଖୀ ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ। ୧୧ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ନୂଆ ରୂପରେ ଚାଇନା ରାଖୀକୁ ରୋକିବାରେ ସଫଳତା ହାସଲ କରିବ ବୋଲି ମତ ପ୍ରକାଶ ପାଇଛି। ମୀନାଙ୍କର ବନ୍ଧୁମାନେ ବିଦେଶରେ ଥିବା ସେମାନଙ୍କ ଭାଇମାନଙ୍କ ପାଖକୁ ଏହି ରାଖୀ ପଠାଇବା ଫଳରେ ସେଠାରେ ମଧ୍ୟ ଲୋକେ ରାଖୀକୁ ବହୁତ ପସନ୍ଦ କରିଥିଲେ। ତେଣୁ ଧିରେ ଧିରେ ବିଦେଶରେ ବି ଏହି ରାଖୀର ଆଦର ବଢ଼ିବା ସହିତ ଭଲ ବିକ୍ରି ହୋଇଥିଲା।