ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇଲେ ସ୍ବାମୀ

ଭୋପାଳ,୩୦ା୯: ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଚୋରି ମାମଲାର ଛାନଭିନ୍‌ କରିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ଏହା ପରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏଥିରେ ସାମିଲ ଥିବା ଆଉ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।


ଏହି ଘଟଣା ଭୋପାଳର ତଲେୟା ଅଞ୍ଚଳର। ପୋଲିସ ଏକ ଚୋରି ମାମଲାର ତଦନ୍ତ କରିବା ସମୟରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଥାନାଧିକାରୀ ଡିପି ସିଂହ କୁହନ୍ତି, ସାୟରା ବେନୋ ନାମକ ଜଣେ ମହିଳା ୧୩ ସେପ୍ଟେମ୍ବରରେ ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ଝିଅ ସାବାଙ୍କ ବାହାଘର ମହମ୍ମଦ ଗୁଫରାନଙ୍କ ସହ ହୋଇଥିଲା। ବିବାହ ପରେ ଦୁଇଜଣ ଗୋଟିଏ ଫ୍ଲାଟ୍‌ରେ ରହୁଥିଲେ। ସାୟରା ଅଭିଯୋଗ କରିଛନ୍ତି, ତାଙ୍କ ଜ୍ୱାଇଁ ଝିଅକୁ ଜଣେ ବନ୍ଧୁଙ୍କ ଘରକୁ ବୁଲାଇ ନେବାକୁ କହି ସାଙ୍ଗରେ ନେଇ ଯାଇଥିଲେ। ସେହି ସମୟରେ ଝିଅଙ୍କ ଫୋନ୍‌ ତାଙ୍କ ନିକଟକୁ ଆସିଥିଲା। ଝିଅ କହିଥିଲା, ମା’ ଘରକୁ ଯାଇ ଦେଖ ଗୁଫରାନ ଜଣେ ସମ୍ପର୍କୀୟଙ୍କୁ ଫୋନ୍‌ କରି କହୁଛନ୍ତି, ମୁଁ ସାବାକୁ ସାଙ୍ଗରେ ଆଣି ଆସିଛି, ତୁମେ ଘରର ତାଲା ଭାଙ୍ଗି ସବୁ ଜିନିଷ ନେଇଯାଅ। ଝିଅର ଏପରି ଫୋନ୍‌ ପାଇ ସାୟରା ପୁଅ ସହିତ ଝିଅର ଫ୍ଲାଟକୁ ଯାଇ ଦେଖନ୍ତି ତ ତାଲା ଭଙ୍ଗା ଯାଇଛି। ଘରର କୌଣସି ଜିନିଷପତ୍ର ଆଉ ନାହିଁ। ପଡ଼ୋଶୀଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଗୁଫରାନଙ୍କ ଡ୍ରାଇଭର ରିଜିଓ୍ବାନ୍‌, ସଫାନ୍‌, ଇକବଲ ଏବଂ ଶାହାରୁଖ ତାଲା ଭାଙ୍ଗି ସମସ୍ତ ଜିନିଷପତ୍ର ଚୋରି କରି ନେଇଛନ୍ତି।


ସାୟରାଙ୍କଠାରୁ ଅଭିଯୋଗ ପାଇ ପୋଲିସ ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କଠାରୁ ସମସ୍ତ ଜିନିଷ ପୋଲିସ ଉଦ୍ଧାର କରିବା ସହିତ ଜାଣିବାକୁ ପାଇଥିଲା ଯେ, ଗୁଫରାନ ୩ ଜଣଙ୍କୁ ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପରେ ଦ୍ୱିତୀୟ ବିବାହ କରିଥିଲେ। ସେ ମଧ୍ୟ ଦୁଇ ପିଲାଙ୍କ ସହିତ ଭୋପାଳରେ ରହୁଛନ୍ତି। ଗୁଫ୍‌ରାନ ଦ୍ୱିତୀୟ ସ୍ତ୍ରୀଙ୍କୁ ଦେଖା କରିବାକୁ ଯିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରୁ ଏପରି ଚୋରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।

Share