ମେଟଲ୍‌ ମିଟ୍‌-୨୦୨୩ର ପ୍ରଥମ ଦିବସ କାର୍ଯ୍ୟକ୍ରମ ଶେଷ, ଫିନାଲେରେ ୧୬ଟିମ୍

ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ‘ମେଟଲ ମିଟ୍‌-୨୦୨୩’ ଶନିବାର ଭୁବନେଶ୍ୱରସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆରମ୍ଭ ହୋଇଯାଇଛି। ୨ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟର ବିଭିନ୍ନ ଜିଲାରେ ଥିବା ମୋଟ୍‌ ୬୯ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଜୁନିୟର ବିଭାଗରେ ୪୧ଟିି ଅନୁଷ୍ଠାନ ଓ ସିନିୟର ବିଭାଗରେ ୨୮ରହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀ ଜଣେ ଜଣେ ବିଜୟୀ ବୋଲି କହିଥିଲେ। ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, ସମସ୍ତଙ୍କୁ ଦେଖି ଖୁସି ଲାଗୁଛି। ସମସ୍ତଙ୍କ ମୁହଁରେ କିଛି ପରିମାଣରେ ଚାପ ଦେଖାଯାଉଛି। ଏହା ଭଲ। ଜୀବନସାରା ଏହା ରହିବା ଉଚିତ ମଧ୍ୟ। ଯାହା ତୁମମାନଙ୍କୁ ଭବିଷ୍ୟତରେ ଭଲ ମଣିଷ କରିବାରେ ସାହାଯ୍ୟ କରିବ। ପ୍ରତିଯୋଗିତାରେ ଯିଏ ବିଜୟୀ ନ ହେବେ, ସେମାନେ ବି ନିଜକୁ ବିଜୟୀ ଭାବିବା ଉଚିତ। ଏହି ପ୍ରତିଯୋଗିତା ଜୀବନରେ ଆଗକୁ ଯିବାରେ ସାହାଯ୍ୟ କରିବ ବୋଲି ଆଶା କରୁଛି। କେବଳ ଏହି କାର୍ଯ୍ୟକ୍ରମ ନୁହେଁ ଜୀବନର ସବୁ ପ୍ରତିଯୋଗିତାରେ ସଫଳ ହୁଅ ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ହୋଷ୍ଟ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଜୁନିୟର ଟିମ୍‌ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ୩୫ଟି ପ୍ରଶ୍ନର ଉତ୍ତରକୁ ଛାତ୍ରୀଛାତ୍ର ଲିଖିତ ଆକାରରେ ପ୍ରଦାନ କରିଥିଲେ। ଏମାନଙ୍କ ମଧ୍ୟରୁ ୮ଟି ଟିମ୍‌ ଫିନାଲେକୁ ମନୋନୀତ ହୋଇଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ସିନିୟର ଟିମ୍‌ଙ୍କ ମଧ୍ୟରୁ ୮ଟିମ୍‌ ଫିନାଲେକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଫିନାଲେରେ ୧୬ଟିମ୍‌

ଟପ୍‌ ୮ ଜୁନିୟର ଟିମ୍‌
-ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, ଭୁବନେଶ୍ୱର
-ବ୍ଲେସଡ୍‌ ସାକ୍ରାମେଣ୍ଟ ହାଇସ୍କୁଲ, ପୁରୀ
-ଲୟୋଲା ସ୍କୁଲ, ଭୁବନେଶ୍ୱର
-ଡିଏଭି ପବ୍ଲିକ ସ୍କୁଲ, ସିଡିଏ, କଟକ
-ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ, ଭୁବନେଶ୍ୱର
-ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗର, ଭୁବନେଶ୍ୱର
-ଦିଲ୍ଲୀ ପବ୍ଲିକ ସ୍କୁଲ,ରାଉରକେଲା
-ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ, ଭୁବନେଶ୍ୱର

ଟପ୍‌ ୭ ସିନିୟର୍‌ ଟିମ୍‌
– ଏମ୍ସ, ଭୁବନେଶ୍ୱର
-ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକ
-ଆଇଆଇଟି, ଭୁବନେଶ୍ୱର
-ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌, କଟକ
-ଏକ୍ସଆଇଏମ୍‌, ଭୁବନେଶ୍ୱର
-ଏନ୍‌ଆଇଟି, ରାଉରକେଲା
-ଭିମ୍‌ସାର୍‌, ବୁର୍ଲା
-ନାଇଜର, ଜଟଣୀ

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି, ଇଣ୍ଡିଆନ ଅଏଲ, ନାଲ୍‌କୋ, ଜିନ୍ଦଲ, ଏମ୍‌ସିଏଲ୍‌, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ବେଦାନ୍ତ, ରୁଚି, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଆଦିତ୍ୟ ବିର୍ଲା, ବାଜିରାଓ ଆଇଏସ୍‌ ଏକାଡେମୀ, ଏସ୍‌ବିଆଇ, ଅପ୍ଟିପ୍ଲସ୍‌ ରହିଛନ୍ତି।

Share