ନୂଆଦିଲ୍ଲୀ, ୨୭।୮ : କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ରବିବାର ଅନୁଷ୍ଠିତ ହେବ। ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରାଯିବ। ଏହାପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବିଦ୍ରୋହୀ ଜି-୨୩ ଗୋଷ୍ଠୀ ସଦସ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ସୂଚନାନୁସାରେ, ଆଜାଦ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇ ୫୧ ବର୍ଷ ପୁରୁଣା ସମ୍ପର୍କକୁ ଶେଷ କରିଦେଇଥିଲେ।
ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଜି-୨୩ ସଦସ୍ୟମାନେ ଗୁଲାମନବୀଙ୍କ ବାସଭବନରେ ଏକ ଅନୁଷ୍ଠି ହୋଇଥିବା ବୈଠକରେ ଯୋଗଦେଇ ବିଚାରବିମର୍ଷ କରିଛ ସୂଚନା ଅନୁଯାୟୀ, ଗୁଲାମନବୀଙ୍କ ଆହ୍ବାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକରେ କ’ଣ ଆଲୋଚନା କରାଯାଇଥିଲା ତାହା ଜଣା ପଡିନାହିଁ।
କଂଗ୍ରେସ କାର୍ଯ୍ୟ କମିଟି ବୈଠକର ଗୋଟିଏ ଦିନ ପୂର୍ବରୁ ଗୁଲାମନବୀଙ୍କ ଘରେ ଜି-୨୩ ସଦସ୍ୟଙ୍କ ସମାବେଶ କଂଗ୍ରେସ ଦଳ ପାଇଁ ଭଲ ସଙ୍କେତ ନୁହେଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ତେବେ ସୂତ୍ରରୁ ପ୍ରକାଶ ଯେ ଗୁଲାମନବୀ ବର୍ତ୍ତମାନ ଜମ୍ମୁ-କଶ୍ମୀରର ରାଜନୀତି ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଖୁବ ଶୀଘ୍ର ସେ ତାଙ୍କର ନୂଆ ପାର୍ଟି ଘୋଷଣା କରିବେ। ଏହା ସହିତ ଦଳର ନେତା ମଧ୍ୟ ଚୟନ କରାଯିବ।