ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ୍‌ ଲାଇନ୍‌ ପୋତାରୁ ରାସ୍ତା ଶୋଚନୀୟ

କୋକସରା,୨୭ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ ପଞ୍ଚାୟତକୁ ମେଗା ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ପାଇଁ ଠିକାସଂସ୍ଥା ପକ୍ଷରୁ କାର୍ଯ୍ୟ ଜାରି ରହିଛି। ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତାକଡ଼ରେ ଗାତ ଖୋଳି ପାଇପ୍‌ ଲାଇନ୍‌ ବିଛାଇବା କାର୍ଯ୍ୟ କରୁଥିବାରୁ ବର୍ଷାଦିନରେ ରାସ୍ତାରେ ମାଟି ପଡ଼ି କାଦୁଅ ହେବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ। କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ କାଦୋପଦର ଛକରୁ ନୂଆଗୁଡ଼ାକୁ ଯାଇଥିବା ରାସ୍ତାରେ ଏବେ ପାଇପ୍‌ ପୋତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାଦୁଅ ରାସ୍ତାରେ ପଡ଼ିରହିବାରୁ ଲୋକଙ୍କ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଦେଖାଦେଇଛି। ବର୍ତ୍ତମାନ ଚାଷ ସମୟ ହୋଇଥିବା ବେଳେ ଏହି ରାସ୍ତା ଦେଇ ଚାଷୀ ସାର ବିହନ ନେବା ପାଇଁ ନିର୍ଭର କରିଥାନ୍ତି। ପୁଣି କୋକସରା ବ୍ଲକ ସଦର ମହକୁମାକୁ ଯିବାପାଇଁ ଏହି ରାସ୍ତା ଦେଇ ନୂଆଗୁଡ଼ା, କାଦୋପଦର, ଚିଲଡ଼ଙ୍ଗରି, ଫୁପଗାଁ, କାଶୀବାହାଲ ଅଞ୍ଚଳର ଜନସାଧାରଣ ପ୍ରତିଦିନ ନିର୍ଭରଶୀଳ ରହୁଥିବା ବେଳେ ରାସ୍ତାରେ କାଦୁଅ ହୋଇଥିବା କାରଣରୁ ଅନେକ ହଇରାଣ ହେବାକୁ ପଡୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଠିକାସଂସ୍ଥା ଏ ଦିଗରେ ଯତ୍ନବାନ ହୋଇ ରାସ୍ତାକଡ଼ ଛାଡ଼ି ପାଇପ୍‌ ଲାଇନ୍‌ ବିଛାଇବା ଓ ଖୋଳୁଥିବା ଗାତକୁ ଭଲ ଭାବରେ ସମତୁଲ କରିବା ପାଇଁ ଲୋକେ ଦାବି କରିଛନ୍ତି।

ଏ ସମ୍ପର୍କରେ କୋକସରା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ଫନୀନ୍ଦ୍ର ଆର୍କାଙ୍କୁ ପଚାରିବାରୁ ଏହା ଆମ ବିଭାଗ ଅଧୀନରେ ଥିଲେ ମଧ୍ୟ ଏକ ପ୍ରାଇଭେଟ୍‌ କମ୍ପାନୀ କାର୍ଯ୍ୟ ସମ୍ପାଦନ କରୁଛି, ଠିକାସଂସ୍ଥାକୁ କହି ରାସ୍ତା ମରାମତି କରିବା ସହ ଯେମିତି ରାସ୍ତା ପାଇଁ ଲୋକେ ହଇରାଣ ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।