ମେଗା ପ୍ରକଳ୍ପ ଜଳରେ ପରିବା ଚାଷ

କାଳିଆପାଣି,୨୮ା୨(ଡି.ଏନ୍‌.ଏ.):ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଧିରେ ଧିରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏଥିପାଇଁ ନଦୀ,ପୋଖରୀ,କୂଅ ଓ ନଳକୂପରୁ ଜଳ ଶୁଖିବା ଆରମ୍ଭ ହୋଇଛି। ଏଣେ ସ୍ଥାନୀୟ ଲୋକମାନେ ଗତ ୫ ବର୍ଷ ହେବ ମେଗା ପାନୀୟ ଜଳ ପ୍ରକଳ୍ପକୁ ଅପେକ୍ଷା କରିଛନ୍ତି ା ସେହି ପ୍ରକଳ୍ପରୁ ପାଣି ବାଲ୍‌ଟି ପାଇବା ବୋଧହୁଏ ଖଣି ଅଞ୍ଚଳ ଲୋକଙ୍କ ପାଇଁ ଦିବାସ୍ବପ୍ନ ହୋଇଛି ା ଏପରି ସ୍ଥିତିରେ କେତେଜଣ ବ୍ୟକ୍ତି ମୋଗା ପାନୀୟ ଜଳ ପ୍ରକଳ୍ପ ପାଣିରେ ପରିବା ଚାଷ କରୁଥିବା ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, କଅଁସ, କାଳିଆପାଣି, ଚିଙ୍ଗୁଡ଼ିପାଳ ଓ ରାଂସୋଳ ଆଦି ୪ ପଞ୍ଚାୟତରେ ୭ କ୍ରୋମାଇଟ ଖଣି କ୍ରିୟାଶୀଳ ରହିଛି ା ଏହି ଖଣିଗୁଡ଼ିକ ଅତ୍ୟଧିକ ଗଭୀରତା ହେତୁ ଉପରୋକ୍ତ ୪ ପଞ୍ଚାୟତରେ ଜଳସଙ୍କଟ ଉଦ୍‌ବେଗଜନକ ସ୍ଥିତିରେ ରହିଛି ା ଏହି ୪ ପଞ୍ଚାୟତର ଯେ କୌଣସି ଏକ ସ୍ଥାନରେ ଜଳ ସଂରକ୍ଷଣ ବିଶୋଧନ ପ୍ଲାଣ୍ଟ ନିର୍ମାଣ ହୋଇଥିଲେ ଖଣିଅଞ୍ଚଳବାସୀ ଉପକୃତ ହୋଇପାରିଥାଆନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ହେଲେ ଉପରୋକ୍ତ ୪ ପଞ୍ଚାୟତଠାରୁ ପ୍ରାୟ ୧୦ରୁ ୨୫ କିମି ଦୂରତା କାଙ୍କଡ଼ପାଳଠାରେ ଜଳ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଏହି ପ୍ଲାଣ୍ଟ ପାଇଁ ୨୦୧୮ରେ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ୬୪ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା ା ୭ ହଜାର ପରିବାରକୁ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି କାମ ଆରମ୍ଭ କରାଯାଇଥିଲା। ୨୦୨୧ ନଭେମ୍ବରରୁ ଉକ୍ତ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରାଯାଇ ପର୍ଯ୍ୟାୟ କ୍ରମେ ଅଦ୍ୟାବଧି ୬୯୦୦ଟି ପରିବାରକୁ ଜଳ ଯୋଗାଇ ଦିଆଯାଇଥିବା ଦାୟିତ୍ୱରେ ଥିବା କର୍ମଚାରୀ କହିଛନ୍ତି । ହେଲେ କେତେଜଣ ହିତାଧିକାରୀ ସେହି ପାଣିକୁ ଦୁରୁପଯୋଗ କରୁଥିବା ଅଭିଯୋଗ ହୋଇଛି ା ପାନୀୟ ଜଳକୁ ସେମାନେ ନିଜ ବାଡ଼ିବଗିଚା କରିଥିବା ପରିବା ଚାଷ ପାଇଁ ବ୍ୟବହାର କରୁଛନ୍ତି ା ଏଥିପାଇଁ ଉଚ୍ଚସ୍ଥାନରେ ଥିବା ଘରକୁ ପାଣି ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଛି । ଅଦ୍ୟାବଧି ସଂଯୋଗ ହୋଇଥିବା ପାଣି ପାଇପରୁ ହାତଗଣତି କେତେଜଣ ଲୋକ ସୁବିଧା ପାଉଥିବା ବେଳେ ଅନ୍ୟମାନେ ବାଲ୍‌ଟିଏ ପାଣି ପାଇ ଚାତକ ପରି ଅପେକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ବ୍ରାହ୍ନଣୀ ନଦୀର ଜଳକୁ ପାଇପ ଯୋଗେ ଅଣାଯାଇ କାଙ୍କଡ଼ପାଳଠାରେ ତାକୁ ବିଶୋଧନ କରାଯାଉଛି । ଉକ୍ତ ପ୍ଲାଣ୍ଟକୁ ଦୈନିକ ୧୮ ଘଣ୍ଟା ଚାଲୁ କରାଯାଇ ୪୫ ଲକ୍ଷ ଲିଟର ପାଣି ବିଶୋଧନ କରାଯାଇ ମୁଣ୍ଡପିଛା ୭୦ ଲିଟର ହିସାବରେ ୧୦ ପଞ୍ଚାୟତର ୬୪ ହଜାର ଲୋକ ପାନୀୟ ଜଳ ସୁବିଧା ପାଇବା କଥା ା କିନ୍ତୁ କାଗଜକଲମରେ ଏସବୁ ହିସାବ ରହିଥିବା ବେଳେ ବାସ୍ତବିକ ସ୍ଥିତି ଭିନ୍ନ ବୋଲି ଅଭିଯୋଗ ହୋଇଛି ା ପ୍ରାୟ ୫ଶହ ପରିବାର ପାଖରେ ପାଣି ପହଞ୍ଚି ପାରି ନ ଥିବା ସୂଚନା ମିଳିଛି। ଏପରି ସମସ୍ୟାକୁ ସମାଧାନ କରିବା ପାଇଁ ତତ୍କାଳୀନ ଜିଲାପାଳ ସତ୍ୟ ରଞ୍ଜନ ମଲିକ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ୬୪ କୋଟି ୬୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ା ହେଲେ ଜିଲା ପ୍ରଶାସନର ଅସହଯୋଗ କାରଣରୁ ଏହି ପ୍ରକଳ୍ପର ସୁଫଳ ଖଣି ଅଞ୍ଚଳ ଲୋକଙ୍କୁ ମିଳିପାରିନାହିଁ ା ତୁରନ୍ତ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ା