ଶିଲଂ,୧୯।୧୨: ମେଘାଳୟର ପୂର୍ବ ଶିଲୋଙ୍ଗ ବିଧାୟକ ଅମ୍ପାରିନ ଲିଙ୍ଗଡୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍ କରି କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ଘୋଷଣା କରିଛନ୍ତି। ସୋମବାର ସେ ଇସ୍ତଫା ପତ୍ର ଟୁଇଟ୍ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟ୍ୟାଗ କରିଛନ୍ତି।
ଲିଙ୍ଗଡୋ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୋର ଅଧିକାଂଶ ସମୟ ଭାରତୀୟ ଜାତୀୟ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତା ଭାବରେ ଅତିବାହିତ ହୋଇଛି। ଦଳ ମୋତେ ମନ୍ତ୍ରୀ ତଥା ମୋ ର୍ନିବାଚନମଣ୍ଡଳୀ ପୂର୍ବ ଶିଲଙ୍ଗର ପ୍ରତିନିଧୀ ଭାବରେ ସେବା କରିବାର ସୁଯୋଗ ଦେଇଥିଲା। ମୋତେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଚିବ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ଦଳରୁ ମୁଁ ଏପର୍ଯ୍ୟନ୍ତ ପାଇଥିବା ସମର୍ଥନ ପାଇଁ ମୁଁ କୃତଜ୍ଞ।
ମେଘାଳୟର ଲୋକଙ୍କ ସହ ଦଳର ସମ୍ପର୍କ ହରାଇଛି ଏବଂ ଲୋକଙ୍କ ସେବା କରିବା ପାଇଁ ଏହା ସର୍ବୋତ୍ତମ ପ୍ଲାଟଫର୍ମ ବୋଲି ମୁଁ ଆଉ ବିଶ୍ୱାସ କରୁନାହିଁ। ତେଣୁ ଗଭୀର ଦୁଃଖର ସହିତ ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମୋର ଆନୁଷ୍ଠାନିକ ଇସ୍ତଫା ଦେଉଛି।
ଆସନ୍ତା ବର୍ଷ ମେଘାଳୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଅମ୍ପାରିନ ଲିଙ୍ଗଡୋ ଦଳ ଛାଡିବା କଂଗ୍ରେସ ପାଇଁ ଏକ ବଡ଼ ଝଟ୍କା ବୋଲି କୁହାଯାଉଛି।