‘ୟଙ୍ଗ୍‌ ଜିନିୟସ୍‌’ରେ ନଜରକୁ ଆସିବେ ମେଘାଲି

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଗୁଗଲ୍‌ ଗର୍ଲ ଅଫ୍‌ ଇଣ୍ଡିଆ’ ଭାବେ ପରିଚିତ ଭୁବନେଶ୍ୱରର ମେଘାଲି ମାଳବିକା ଓଡ଼ିଶା ପାଇଁ ପୁଣି ଏକ ଗୌରବ ଆଣିଛନ୍ତି। ଦେଶର ବିସ୍ମୟକର ପ୍ରତିଭାଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣୁଥିବା ‘ୟଙ୍ଗ୍‌ ଜିନିୟସ୍‌’ କାର୍ଯ୍ୟକ୍ରମରେ ସ୍ଥାନ ପାଇବାକୁ ଯାଉଛନ୍ତି ମେଘାଲି। ମାତ୍ର ୧୪ ବର୍ଷ ବୟସରେ ସେ ବିଶ୍ୱର ୧୯୭ ଦେଶର ଟିକିନିଖି ତଥ୍ୟ ପ୍ରାଞ୍ଜଳଭାବେ ମନେରଖିଛନ୍ତି। ତାଙ୍କର ଏହି ବିସ୍ମୟକର ଜ୍ଞାନ ପାଇଁ ସେ ‘ୟଙ୍ଗ୍‌ ଜିନିୟସ୍‌’ ରେ ନଜର ଆସିବା ସହ ଦେଶର କୋଟି କୋଟି ପିଲାଙ୍କୁ ନିଜ ପ୍ରତିଭା ଦ୍ୱାରା ଅନୁପ୍ରାଣିତ କରିବାକୁ ଯାଉଛନ୍ତି।

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ୪ଟି ରେକର୍ଡ ସହ ମେଘାଲି ୯ ମିନିଟରେ ୧୦୦୦ ନଦୀର ନାମ, ୭.୩୯ ମିନିଟରେ ୧୦୦୦ ସହରର ନାମ, ୧୧.୨୮ ମିନିଟରେ ବିଶ୍ୱର ବିଭିନ୍ନ ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆଦିର ନାମ କହିପାରନ୍ତି। ତେଣୁ ମେଘାଲିଙ୍କୁ ମଣିଷ ଆଟଲାସ୍‌ ବା ହ୍ୟୁମାନ ଆଟଲାସ୍‌ କୁହାଯାଏ। ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ମେଘାଲି ଲକ୍ଷ୍ୟ ରଖିଛନ୍ତି। ଆଗ୍ରହ ଓ ଅଭ୍ୟାସ ଯୋଗୁ ସେ ଆଜି ଏଭଳି ଭୌଗୋଳିକ ତଥ୍ୟର ଜ୍ଞାନ ହାସଲ କରିପାରିଥିବା କହିଛନ୍ତି। ଶ୍ରେଣୀ ପାଠପଢ଼ାରେ ଭୂଗୋଳ ହେଉଛି ତାଙ୍କର ପ୍ରିୟ ବିଷୟ। ଗୁଗଲ ଗର୍ଲ ଭାବେ ଲୋକେ ସମ୍ବୋଧିତ କଲେ ତାହା ତାଙ୍କୁ ଆଗକୁ ଯିବାପାଇଁ ଅନୁପ୍ରାଣିତ କରେ। ବାପା ଓ ମା’ଙ୍କୁ ନିଜ ଆଦର୍ଶ ଭାବେ ମାନିନେଇଥିବା ମେଘାଲି ନିଜ ସଫଳତାର ଶ୍ରେୟ ବାପାଙ୍କୁ ଦେଇଛନ୍ତି। ୪ ବର୍ଷ ବୟସରୁ ବାପା ବିଭିନ୍ନ ଦେଶ, ମହାଦେଶ, ମୁଦ୍ରା ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କରେ

ମନେରଖିବାକୁ ଉତ୍ସାହିତ କରିଆସୁଛନ୍ତି। ‘ୟଙ୍ଗ୍‌ ଜିନିୟସ୍‌’ ପରି ଏତେବଡ଼ ଶୋ’ ନିମନ୍ତେ ଚୟନ ହୋଇଥିବାରୁ ମଁୁ ଉତ୍ସାହିତ। ଅନ୍ୟପକ୍ଷରେ ମେଘାଲିଙ୍କ ଏହି ସଫଳତା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର, ଆକାଶ ଦାସନାୟକ, ଅନୁ ଚୌଧୁରୀ, ଭୂମିକା ଦାଶ, କ୍ରୀଡ଼ାବିତ୍‌ ଅଂଶିକା ରାଉତରାୟ ଏବଂ ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ପଦ୍ମିନୀ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ‘ୟଙ୍ଗ ଜିନିୟସ’ କାର୍ଯ୍ୟକ୍ରମରେ ମେଘାଲିଙ୍କ ପ୍ରେରଣାଦାୟୀ କାହାଣୀକୁ ଦର୍ଶକମାନେ ନ୍ୟୁଜ୍‌୧୮ ଇଣ୍ଡିଆରେ ଶନିବାର ସନ୍ଧ୍ୟା ୭ଟାରେ ଦେଖିପାରିବେ।

Share