ମେଘାନଙ୍କୁ ଫ୍ଲଏଡ୍‌ ସଜାଇଲା ଶାର୍ଲି ଏବ୍‌ଡୋ

ପ୍ୟାରିସ୍‌/ଲଣ୍ଡନ,୧୫।୩: ଫ୍ରାନ୍ସର କାର୍ଟୁନ ମାଗାଜିନ ଶାର୍ଲି ଏବ୍‌ଡୋ ପୁଣି ବିବାଦରେ। ଏଥର ଉକ୍ତ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ବ୍ରିଟେନ ରାଜପରିବାରକୁ ବ୍ୟଙ୍ଗ କରାଯାଇଛି। ଏଥିରେ ମହାରାଣୀ ଏଲିଜାବେଥ ଦ୍ୱିତୀୟ ତାଙ୍କ ନାତୁଣୀ ବୋହୂ ମେଘାନ ମର୍କେଲଙ୍କ ବେକକୁ ନିଜ ଆଣ୍ଠୁରେ ଚାପି ଧରିଥିବା ଦେଖିବାକୁ ମିଳିଛି। ମେଘାନଙ୍କ ରାଜପ୍ରାସାଦ ତ୍ୟାଗକୁ ଗତବର୍ଷ ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟା ସହ ତୁଳନା କରାଯାଇଛି। କାର୍ଟୁନରେ ପ୍ରଶ୍ନ କରାଯାଇଛି, ମେଘାନ ମର୍କେଲ ବକିଂହାମ୍‌ ପ୍ୟାଲେସ କାହିଁକି ଛାଡ଼ିଲେ? ମେଘାନ ଉତ୍ତର ଦେଉଛନ୍ତି, କାରଣ ମୁଁ ଅଣନିଃଶ୍ୱାସୀ ହୋଇଯାଇଥିଲି।
ମେ ୨୫ରେ ଶ୍ୱେତାଙ୍ଗ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲଏଡ୍‌ଙ୍କ ବେକକୁ ପ୍ରାୟ ୯ ମିନିଟ ଧରି ନିଜ ଆଣ୍ଠୁରେ ଚାପି ଧରିଥିଲେ। ଫ୍ଲଏଡ୍‌ ତାଙ୍କୁ ଛାଡ଼ିଦେବା ପାଇଁ ନେହୁରା ହୋଇ ବାରମ୍ବାର ଅନୁରୋଧ କରୁଥିଲେ। ହେଲେ ଚଉଭିନ୍‌ ଛାଡ଼ି ନ ଥିଲେ। ଫଳରେ ଫ୍ଲଏଡ୍‌ଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁପୂର୍ବରୁ କୃଷ୍ଣକାୟ ଫ୍ଲଏଡ୍‌ ଦୋହରାଉଥିଲେ, ଆଇ କାଣ୍ଟ୍‌ ବ୍ରେଦ୍‌ ଅର୍ଥାତ୍‌ ମୁଁ ଅଣନିଃଶ୍ୱାସୀ ହୋଇଯାଇଛି। ଫ୍ଲଏଡ୍‌ଙ୍କ ମୃତ୍ୟୁ ବେଳର ସେହି ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା। ଉକ୍ତ ଭିଡିଓର ବହୁଳ ପ୍ରସାର ଘଟିବାରୁ କେବଳ ଆମେରିକା ନୁହେଁ, ବିଶ୍ୱର ବିଭିନ୍ନ ଭାଗରେ ପୋଲିସ ବର୍ବରତା ଓ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ନାମରେ ପରିଚିତ।
ଏବ୍‌ଡୋର ଏହି କଭର ପେଜ୍‌ କାର୍ଟୁନକୁ ସୋସିଆଲ ମିଡିଆରେ ପ୍ରବଳ ନିନ୍ଦା କରାଯାଇଛି। ବ୍ରିଟେନର ବର୍ଣ୍ଣବୈଷମ୍ୟ ବିରୋଧୀ ବିଚାର ଗୋଷ୍ଠୀ ରନିମେଡ୍‌ ଟ୍ରଷ୍ଟର ସିଇଓ ହାଲିମା ବେଗମ୍‌ ଟୁଇଟ୍‌ କରି ଏହି ବ୍ୟଙ୍ଗଚିତ୍ରକୁ ସବୁ ଦିଗରୁ ଭୁଲ୍‌ ବୋଲି କହିଛନ୍ତି। ମହାରାଣୀଙ୍କୁ ଏଥିରେ ଭୁଲ୍‌ ରୂପେ ଚିତ୍ରଣ କରାଯାଇଥିବାରୁ ଅନେକେ ସମାଲୋଚନା କରିଛନ୍ତି।
ଯେ, ସସେକ୍ସ ଡ୍ୟୁକ୍‌ ପ୍ରିନ୍ସ ହାରି ଓ ତାଙ୍କ ସ୍ତ୍ରୀ ତଥା ଡଚେସ୍‌ ମେଘାନ ମର୍କେଲ ନିକଟରେ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ଓପ୍ରାହ ୱିନ୍‌ଫ୍ରେଙ୍କୁ ଦେଇଥିବା ସାକ୍ଷାତ୍‌କାର ସାରା ବିଶ୍ୱରେ ଚହଳ ପକାଇଦେଇଛି। ସେମାନଙ୍କ ଶିଶୁର କୃଷ୍ଣବର୍ଣ୍ଣକୁ ନେଇ ରାଜପରିବାର ସନ୍ତୁଷ୍ଟ ନ ଥିଲା ବୋଲି ମେଘାନ ଏଥିରେ ପ୍ରଘଟ କରିଥିଲେ। ଏପରି କି ଏହାକୁ ନେଇ ରାଜପରିବାରର ବ୍ୟବହାର ତାଙ୍କୁ ନିଃସଙ୍ଗ କରିବା ସହ ଆମତ୍ହତ୍ୟା କରିବା ପାଇଁ ପ୍ରେରିତ କରିଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ଫ୍ରାନ୍ସରେ ଶାର୍ଲି ଏବ୍‌ଡୋ ଅଭିବ୍ୟକ୍ତି ସ୍ବାଧୀନତାର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ ଭାବେ ପରିଗଣିତ। ୨୦୧୫ରେ ଏହି ପତ୍ରିକାରେ ପ୍ରକାଶିତ ପ୍ରଫେଟ୍‌ ମହମ୍ମଦଙ୍କ ଏକ କାର୍ଟୁନକୁ ନେଇ ଶାର୍ଲି ଏବ୍‌ଡୋ ଅଫିସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୧୧ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ। ଏହା ପରେ ମଧ୍ୟ ଶାର୍ଲି ଏବ୍‌ଡୋ ଅନେକ ବ୍ୟଙ୍ଗଚିତ୍ର ନିଜ ପ୍ରଚ୍ଛଦ ପୃଷ୍ଠାରେ ଛାପି ବିବାଦୀୟ ହୋଇଛି।

Share