Categories: ଜାତୀୟ

ଅନୁଚ୍ଛେଦ ୩୭୦ର ସାହାରାରେ ଭୋଟ ମାଗୁଛି ଭାଜପା: ମେହେବୁବା

ଶ୍ରୀନଗର,୨୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମେହେବୁବା କହିଛନ୍ତି ବିହାରରେ ଭୋଟ ମାଗିବାକୁ ମୋଦି ଅନୁଚ୍ଛେଦ ୩୭୦ର ସାହାରା ନେଉଛନ୍ତି । ଯେତେବେଳେ ମୋଦି ବିଫଳ ହେବାକୁ ଯାଉଛନ୍ତି ସେତେବେଳେ ସେ ଜମ୍ମୁ-କଶ୍ମୀର ଓ ୩୭୦ର ସହାୟତା ନେଉଛନ୍ତି ବୋଲି ମେହେବୁବା କହିଛନ୍ତି । କାରଣ ସେ ବାସ୍ତବିକ ଘଟଣାକୁ ନେଇ କଥା ହେବାକୁ ଚାହୁଁ ନାହାନ୍ତି । ମେହେବୁବା କହିଛନ୍ତି ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଆମର ଅଧିକାର ୩୭୦ ଫେରାଇ ଦେଇ ନାହାନ୍ତି ସେପର୍ଯ୍ୟନ୍ତ ମୁଁ କୌଣସି ନିର୍ବାଚନ ଲଢିବି ନାହିଁ । ପିଡିପି ନେତା ମହେବୁବା କହିଛନ୍ତି ଅର୍ଥବ୍ୟବସ୍ଥାକୁ ଦେଖିଲେ ଏବେ ଆମେ ବାଂଲାଦେଶ ପଛରେ ରହିଛୁ । ବେରୋଜଗାରୀ ସଂଖ୍ୟା ବଢିବାରେ ଲାଗିଛି । ହେଲେ କେନ୍ଦ୍ର ସରକାର ଏହା ଉପରେ ନଜର ନ ଦେଇ ଅନୁଚ୍ଛେଦ ୩୭୦ କଥା ଉଠାଉଛନ୍ତି । ଜମ୍ମୁ-କଶ୍ମୀରକୁ କାହିଁକି କେନ୍ଦ୍ର ଶାସିତ ଅଞ୍ଚଳ କରାଗଲା ବୋଲି ବି ସେ ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ ଭାରତ-ଚାଇନା ସୀମା ବିବାଦ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

Share