Categories: ଜାତୀୟ

ଜନ୍ତରମନ୍ତରରେ ବସିଲେ ମେହବୁବା

ନୂଆଦିଲ୍ଲୀ, ୭।୧୨: ଜମ୍ମୁ-କଶ୍ମୀରରେ ନିରୀହ ଜନସାଧାରଣଙ୍କୁ ହତ୍ୟା କରାଯାଉଛି। ତୁରନ୍ତ ଏହାକୁ ବନ୍ଦ କରିବା ଦାବିରେ ସୋମବାରଠୁ ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ତାଙ୍କ ସହ ଧାରଣାରେ ବହୁସଂଖ୍ୟାରେ ସାମିଲ ହୋଇଛନ୍ତି ଦଳୀୟ କର୍ମୀ।

କଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ଲାଗି ତାଙ୍କୁ ଅନୁମତି ଦିଆଯାଉ ନ ଥିବାରୁ ସେ ଜାତୀୟ ରାଜଧାନୀରେ ଧାରଣାରେ ବସିବା ଲାଗି ନିଷ୍ପତ୍ତି ନେଇବା କହିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା। ଯେତେଥର ସେ ନିଜ ରାଜ୍ୟରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି, ତାଙ୍କୁ ଗୃହବନ୍ଦୀ ରଖାଯାଇଛି ବୋଲି କହିଛନ୍ତି।

୨୦୧୯ ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କଶ୍ମୀର ଏକ ବନ୍ଦୀଶାଳାରେ ପରିଣତ ହୋଇଛି। ସେଠାରେ ଲୋକମାନଙ୍କୁ ମତବ୍ୟକ୍ତ କରିବା ଲାଗି ଅନୁମତି ମିଳୁନାହିଁ। ସେମାନଙ୍କୁ ଏକପ୍ରକାର ଦମନ କରି ରଖାଯାଇଥିବା ମେହବୁବା କହିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସେ ସବୁବେଳେ ପ୍ରଶ୍ନ ଉଠାଉଥିବା କଥାକୁ ମେହବୁବା ଖଣ୍ଡନ କରିଛନ୍ତି। ଯେତେବେଳେ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ମରୁଛନ୍ତି, ସେତେବେଳେ କେହି ପ୍ରଶ୍ନ ଉଠାନ୍ତି ନାହିଁ। କିନ୍ତୁ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଲେ ଲୋକେ ରାସ୍ତାକୁ ଆସନ୍ତି ଓ ପ୍ରଶାସନ ପ୍ରତି ଅଙ୍ଗୁଳି ଉଠାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

Share