କ୍ୟୁବାରେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଯୋଜନା କରିଥିଲେ ଚୋକ୍‌ସି

ନୂଆଦିଲ୍ଲୀ,୯।୬ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଡୋମିନିକା ଦେଇ କ୍ୟୁବା ଖସି ପଳାଇବାକୁ ଯୋଜନା କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ବାରବାରା ଜାବାରିକା ବୁଧବାର କହିଛନ୍ତି।

ଖସିବା ଭଳି ଶବ୍ଦ ସେ କଦାପି ବ୍ୟବହାର କରି ନ ଥିଲେ କିମ୍ବା ତାଙ୍କ ଯୋଜନା ସମ୍ପର୍କରେ ମୋତେ କୌଣସି ସୂଚନା ଦେଇ ନ ଥିଲେ। କିନ୍ତୁ ମୋତେ କ୍ୟୁବାରେ ଦେଖା କରିବାକୁ କହିଥିଲେ ଚୋକ୍‌ସି। ଆଉ ମୁଁ କେବେ କ୍ୟୁବା ଯାଇଛି କି ? ଏହି ପ୍ରଶ୍ନ ମୋତେ କରିଥିଲେ। ସେ ଖସିବା ଯୋଜନା ମୋତେ ଜଣାଇ ନ ଥିଲେ। ମାତ୍ର ମୁଁ ନିଶ୍ଚିତ ଯେ, ଡୋମିନିକା ତାଙ୍କର ଲକ୍ଷ୍ୟସ୍ଥଳ ନୁହେଁ। ମୋ ମତରେ କ୍ୟୁବା ତାଙ୍କ ଲକ୍ଷ୍ୟସ୍ଥଳ ଥିଲା ବୋଲି ଏକ ସାକ୍ଷାତ୍‌କାରରେ ବାରବାରା କହିଛନ୍ତି।

ବାରବାରାଙ୍କୁ ଭେଟିବାକୁ ଯାଉଥିବାବେଳେ ୮ରୁ ୧୦ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ନିକଟରେ ଆଣ୍ଟିଗୁଆ ପୋଲିସ କମିଶନରଙ୍କ ନିକଟରେ ଚୋକ୍‌ସି ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ପିଏନ୍‌ବି ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଚୋକ୍‌ସି ଗତ ୨୩ ତାରିଖରେ ଆଣ୍ଟିଗୁଆରୁ ନିଖୋଜ ହେବା ପରେ ଧରା ପଡ଼ିଥିଲେ ଡୋମିନିକାରେ। ସେଠାରେ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଗତ ୨ ସପ୍ତାହ ହେଲା ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Share