ଫସିଗଲେ ଚୋକ୍‌ସି: ଫିଟିଲା ପ୍ରତ୍ୟର୍ପଣ ବାଟ

ନୂଆଦିଲ୍ଲୀ, ୨୭।୫: ପିଏନ୍‌ବି ବ୍ୟାଙ୍କରୁ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ କୂଟନୀତି ମାଧ୍ୟମରେ ଡୋମିନିକାରୁ ସିଧାସଳଖ ଭାରତ ନେଇପାରେ ବୋଲି ଗୁରୁବାର ବିବୃତି ଜାରି କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ ବ୍ରାଉନେ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି, ଭାରତ ସହ ଡୋମିନିକାର ଭଲ ବନ୍ଧୁତା ରହିଛି। ନିକଟରେ ଛୋଟିଆ ଦ୍ୱୀପ ଦେଶକୁ ଟିକା ମୈତ୍ରୀ ଯୋଜନାରେ ଭାରତ ମାଗଣାରେ ଏକ ଲକ୍ଷ କୋଭିଡ୍‌-୧୯ ଟିକା ପ୍ରଦାନ କରିଥିଲା। ପଳାତକ ହୀରା ବ୍ୟବସାୟୀ ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଭାରତ ପଠାଇବା ସହଜ ହେବ।

“ପଳାତକ ବ୍ୟବସାୟୀଙ୍କୁ ଆଣ୍ଟିଗୁଆ ନ ଆଣିବାକୁ ଅନୁରୋଧ କରିଛୁ। ଆମେ ତାଙ୍କୁ ଗ୍ରହଣ କରିବୁ ନାହିଁ। ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରି ସେ ବଡ଼ ଭୁଲ କରିଛନ୍ତି। ତାଙ୍କୁ ଭାରତ ଫେରାଇ ଦିଆଯିବା ଦରକାର। ସେଠାରେ ତାଙ୍କ ବିରୋଧରେ ଆପରାଧିକ ମାମଲା ଚାଲିବ ” ବୋଲି ବ୍ରାଉନେ କହିଥିବା ଆଣ୍ଟିଗୁଆ ନ୍ୟୁଜ ରୁମରୁ ପ୍ରକାଶ କରାଯାଇଛି।

Share