Categories: ଜାତୀୟ

ପରାଜିତ ନେତାମାନେ ସରକାରୀ ଆବାସ ଖାଲି ନ କଲେ ଗଣିବାକୁ ପଡ଼େ ୧୦ ଲକ୍ଷ ଯାଏ ଜରିମାନା, ଜାଣନ୍ତୁ କିଏ ଜାରି କରେ ନୋଟିସ?

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଏବେ ନୂଆ ସରକାର ମଧ୍ୟ ଗଠନ ହୋଇଛି। ଏମିତିରେ ଅନେକ ଏମ୍‌ପି ପୁଣିଥରେ ବିଜୟ ମୁକୁଟ ପିନ୍ଧିଥିବା ବେଳେ କିଛି ଏମ୍‌ପି ନିର୍ବାଚନରେ ହାରି ଯାଇଛନ୍ତି। ଅନେକଙ୍କୁ ପ୍ରଥମ ଥର ଏମ୍‌ପି ହେବାର ସୁଯୋଗ ମିଳିଛି। ଏସବୁ ଏମ୍‌ପିଙ୍କୁ ଏବେ ସରକାରୀ ଆବାସ ଉପଲବ୍ଧ ହେବ। ହେଲେ ପରାଜିତ ହୋଇଥିବା ଏମ୍‌ପିଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ହେବ। ଆସନ୍ତୁ ଜାଣିବା ସରକାରୀ ଘର କିଭଳି ଖାଲି କରାଯାଇଥାଏ? ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ?

କିଭଳି ହୋଇଥାଏ ସରକାରୀ ଆବାସ ଆବଣ୍ଟନ?
ନିର୍ବାଚନରେ ପରାଜିତ ହୋଇଥିବା ଏମ୍‌ପିଙ୍କୁ ସରକାରୀ ଆବସ ଖାଲି କରିବାକୁ ହୋଇଥାଏ। ସେହିଭଳି ନବନିର୍ବାଚିତ ଏମ୍‌ପି ଏବଂ ମନ୍ତ୍ରୀମାନଙ୍କୁ ନୂଆ ଆବାସ ଆବଣ୍ଟନ କରାଯିବ। ସେମାନଙ୍କୁ ବରିଷ୍ଠତା ଆଧାରରେ ଆବାସ ବଣ୍ଟନ କରାଯିବ।

କେଉଁଠାରେ ଆବଣ୍ଟନ କରାଯାଏ ଆବାସ?
ସରକାରୀ ଆବାସ ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଉପରାଷ୍ଟ୍ରପତି, ମନ୍ତ୍ରୀ,ସୁପ୍ରିମକୋର୍ଟର ବିଚାରପତି, ଏମ୍‌ପି ଆଦିଙ୍କୁ ମିଳିଥାଏ। ଏହି ଆବାସ ଆବଣ୍ଟନ, ପରିଚାଳନାର ଦାୟିତ୍ୱ ଡାଇରେକ୍ଟୋରେଟ୍‌ ଅଫ୍‌ ଇଷ୍ଟେଟ୍‌(ଡିଓଇ) କରିଥାଏ। ମନ୍ତ୍ରୀ ଏବଂ ଏମ୍‌ପିଙ୍କୁ ସରକାରୀ ଆବାସ ଆବଣ୍ଟନ ଦରମା ଏବଂ ବରିଷ୍ଠତା ଆଧାରରେ କରାଯାଏ। ଏହାଛଡ଼ା ଏମ୍‌ପିମାନଙ୍କୁ ସରକାରୀ ଆବାସ ଯୋଗାଇବା ମାମଲା ଡିଓଇ ସହ ଲୋକ ସଭା ଏବଂ ରାଜ୍ୟ ସଭାର ହାଉସିଂ ସୋସାଇଟିର ମଧ୍ୟ ଭୂମିକା ରହିଛି।

କେତେଦିନରେ ବଙ୍ଗଳା ଖାଲି କରିବାକୁ ପଡ଼ିଥାଏ?
ନେତାମାନଙ୍କୁ ସରକାରୀ ଆବାସ ଖାଲି କରାଇବାକୁ ନେଇ ୨୦୧୯ରୁ ନୂଆ ନିୟମ ଆରମ୍ଭ ହୋଇଛି। ତଦନୁଯାୟୀ ଏମ୍‌ପିଙ୍କ ସଦସ୍ୟତା ଶେଷ ହେବା ତାରିଖରୁ ୩୦ ଦିନ ମଧ୍ୟରେ ଘର ଖାଲି କରିବାକୁ ପଡ଼ିଥାଏ। ଏମିତି ନ କଲେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥାଏ। ନୋଟିସ ଜାରି ହେବାର ୩ ଦିନ ମଧ୍ୟରେ ଘର ଖାଲି କରିବାର ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏଭଳି ନ କଲେ ଜରିମାନା ମଧ୍ୟ ଲାଗିପାରେ। ଏମିତିରେ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିପାରେ।

Share