ପ୍ରତିବର୍ଷ ହୋଲି ଆସେ, ରଙ୍ଗ ବି ଉଡ଼େ। ଅବିର ରଙ୍ଗରେ ମନ ବି ରଙ୍ଗେଇ ହୋଇଯାଏ। ଏମିତି ରଙ୍ଗର ପର୍ବ ହୋଲିକୁ ନେଇ ରହିଛି ବିଭିନ୍ନ ପୌରାଣିକ, ଐତିହାସିକ ଓ ଧାର୍ମିକ କଥା କାହାଣୀ। ରଙ୍ଗ ବୋଳାବୋଳିରେ ପରସ୍ପର ମନରେ ରହେନା କିଛି ଭେଦଭାବ। ହୋଲିର ରଙ୍ଗରେ ସଭିଏ ପାସୋରି ଯାଆନ୍ତି ରାଗରୁଷାକୁ। ମାନଅଭିମାନରେ ପଡ଼େ ପୂର୍ଣ୍ଣଚ୍ଛେଦ। ପରସ୍ପର ମଧ୍ୟରେ ଭରିଯାଏ ସେହ୍ନ ସୌହାର୍ଦ୍ଦ୍ୟ। ସୃଷ୍ଟି ହୁଏ ନୂତନ ସମ୍ପର୍କ। ସୁଦୃଢ଼ ହୁଏ ବନ୍ଧୁତ୍ୱ। ସମସ୍ତେ ଖୁସିମନାନ୍ତି। ଏମିତି ଭାବଭକ୍ତିରେ ପରସ୍ପରକୁ ନିକଟତର କରିବାରେ ହୋଲିପର୍ବର ରଙ୍ଗ ଖୁବ୍ ନିଆରା। ହେଲେ ସେଦିନର ହୋଲିରଙ୍ଗ ଆଜି ବି ମନରେ ସତେଜ ରହିଥିଲା ପରି ମନେହୁଏ।ତେବେ ସେମିତି କେତେଜଣଙ୍କ ହୋଲି ଅନୁଭୂତିର ସ୍ମୃତିକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ…
ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ରଙ୍ଗରପର୍ବ ହୋଲି ପାଳନ କରାଯାଏ। କାହିଁ କେଉଁକାଳରୁ ଦେଶର ବିଭିନ୍ନ ଗାଁଠାରୁ ଆରମ୍ଭକରି ସହର ଯାଏ ନାନାସ୍ଥାନରେ ହୋଲି ପାଳନ କରାଯାଉଥିବାର ଦେଖିବାକୁ ମିଳେ। ତେବେ ହୋଲିର ପୂର୍ବ ଦିନରୁ ସୁସଜ୍ଜିତ ବିମାନରେ ଦୋଳଗୋବିନ୍ଦଙ୍କୁ ବିରାଜମାନ କରାଇ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅବସରରେ ହୋଲିପର୍ବ ପାଳନ ହୋଇଥାଏ। ଦିନଥିଲା ଲୋକମାନେ ହୋଲିପାଇଁ ପ୍ରାକୃତିକ ଉପାଦାନ ଯଥା ନିମପତ୍ର, ଗୋଲାପଫୁଲ, ପଲାଶଫୁଲ, ହଳଦୀ, ଚନ୍ଦନ ଆଦିରେ ପ୍ରସ୍ତୁତ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରୁଥିଲେ। ଏହି ରଙ୍ଗ ଖେଳିବା ଦ୍ୱାରା ବସନ୍ତ ଋତୁରେ ଦେଖାଦେଉଥିବା ବିଭିନ୍ନ ଚର୍ମରୋଗରୁ ଉପଶମ ମିଳୁଥିଲା। ଯାହା ସେହି ସମୟରୁ ଏକ ପର୍ବ ଭାବେ ସାମିଲ ହେବା ସହ ଭାଈଚାରାର ବାର୍ତ୍ତା ଦେଲା। ଏଇ ରଙ୍ଗର ପର୍ବ ହୋଲିକୁ ନେଇ ସମସ୍ତଙ୍କ ଭିତରେ ଯେମିତି ଉତ୍କଣ୍ଠା ଥାଏ ସେମିତି ଅନୁଭୂତି ବି ଭିନ୍ନଭିନ୍ନ ରହିଥାଏ, ଯାହା ହୋଲି ଆସିଲେ ମନେ ପଡିଯାଏ।
ବାନ୍ଧବୀଙ୍କ ମୁହଁରେ ଲଗାଇଥିବା ରଙ୍ଗ କଥା ଭୁଲି ହୁଏନା-ଅଭିନେତା ଅଶ୍ରୁମୋଚନ ମହାନ୍ତି
ହୋଲିର ଅନୁଭୂତିକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ବିଶିଷ୍ଟ ଅଭିନେତା ଅଶ୍ରୁମୋଚନ ମହାନ୍ତି କୁହନ୍ତି, ‘ସେତେବେଳେ ମୋର ବୟସ ପ୍ରାୟ ୧୫ବର୍ଷ ହୋଇଥାଏ। ଗାଁରେ ହୋଲି ବେଳେ ରଙ୍ଗ ଖେଳ ହୁଏ। ରଙ୍ଗ ବୋଳାବୋଳି ସରିଲାପରେ ସାଙ୍ଗମାନଙ୍କ ସହ ବୈତରଣୀ ନଦୀରେ ପହଁରିବା ଅନୁଭୂତି ଏବେ ବି ମନରେ ତାଜା ଅଛି। ରଙ୍ଗ ତ ବହୁଥର ଖେଳିଛି ମାତ୍ର ସେଦିନ ଯେଉଁ ବାନ୍ଧବୀଙ୍କ ମୁହଁରେ ପ୍ରଥମେ ରଙ୍ଗ ଲଗାଇଥିଲି ତାଙ୍କୁ ନିଜର କରିବାର ଚେଷ୍ଟା ବି ବଳବତ୍ତର ରହିଥିଲା। କିନ୍ତୁ ସମୟ କ୍ରମେ ଯେବେ ଭୁବନେଶ୍ୱର ଆସିଲି, ସବୁକିଛି ସ୍ମୃତି ହୋଇ ରହିଗଲା। ହେଲେ ସେଦିନର ସେହି ବାନ୍ଧବୀଙ୍କ ରଙ୍ଗବୋଳା ମୁହଁ ଦେଖିବାର ଅନୁଭବ ପୂରା ଅଲଗା ଥିଲା। ସେ ରଙ୍ଗରେ ପରସ୍ପର ମଧ୍ୟରେ ଏମିତି କିଛି ଆତ୍ମୀୟତା, ବିଶ୍ୱାସ, ବନ୍ଧୁତ୍ୱ ସମ୍ପର୍କକୁ ସୂଚାଉଥିଲା, ଯାହା କେବେ ବି ପାସୋରି ହୁଏ ନୁହେଁ। ଆଉ ସେଦିନ ହୋଲିରେ ପଳାଶଫୁଲ ରଙ୍ଗରେ ଖେଳିଥିଲି। ସେ ରଙ୍ଗ ଥରେ ଲାଗିଗଲେ ଛାଡ଼ି ନ ଥାଏ। ପୂର୍ଣ୍ଣେନ୍ଦୁ, ଆବୁଲା, ସନା, ଟିକିନା, ତନୁ, ବାବୁ, ବନା ଆଦି ଅନେକ ସାଙ୍ଗଙ୍କ ସହିତ ଖେଳିଥିବା ହୋଲି ଏବେ ପୂରା ଅତୀତ । ଯାହା କେବେ ଫେରିବନି। ହେଲେ ବର୍ତ୍ତମାନ ଯେଉଁ ବୟସ ଆସିଲା ରଙ୍ଗ ବୋଳି ଖେଳିବା ବେଳକୁ ପୃଥିବୀରେ ଯୁଦ୍ଧର ବାରୁଦ ଗନ୍ଧ। ଏବେ ଗାଁ ଗହଳିର ହୋଲି ରଙ୍ଗ ସହିତ ଅନୁଭୂତ ହୁଏ ଯୁଦ୍ଧପରି ରକ୍ତର ହୋଲି। ଏଠି ରଙ୍ଗଟା ଅନୁଭବ କରି ହୁଏନା। କେଉଁଠି ନା କେଉଁଠି କିଛି କିଛି ଭାବ କମିଗଲା ପରି ମନେହୁଏ। ତଥାପି ଆଶାକରେ ଶାନ୍ତି ଆସିବ ଇନ୍ଦ୍ରଧନୁର ସପ୍ତରଙ୍ଗରେ। ଫଗୁଣରେ ଭରିଦେବ ଖୁସି ରଙ୍ଗର ଫୁଆରା । ସୃଷ୍ଟି ହେବ ହୋଲିରଙ୍ଗର ନିଆରା ବନ୍ଧୁତ୍ୱ । ସବୁଦିନ ପାଇଁ ମନେ ରହିଥିବ ସେଦିନ ହୋଲିର ସେହି ଅଭୁଲା ରଙ୍ଗ।
ରାସ୍ତାରେ ଯାଉଥିବା ଲୋକଙ୍କୁ ପିଚକାରି ମାରୁଥିଲୁ: ବସନ୍ତ ଋତୁର ଆଗମନରେ ପ୍ରକୃତି ଅତୀବ ମନୋରମ ହୋଇଉଠେ। ଜୀବନ ଜିଇବାର ଇଚ୍ଛାକୁ ଆହୁରି ଆନନ୍ଦମୟ କରିଦେଇଥାଏ। ଦୋଳଯାତ୍ରାରେ ଗାଁଗଣ୍ଡା ଉତ୍ସବମୁଖର ହୋଇଉଠେ । ଆଉ ରାଧାକୃଷ୍ଣଙ୍କୁ ବିମାନରେ ବସାଇ ଘରଘର ବୁଲି ଚାଚେରୀ ଭୋଗଲାଗି ବେଳେ ଗୋପାଳଭାଇମାନେ ଲଉଡ଼ି ନୃତ୍ୟ କରିଥାନ୍ତି। ଏହା ଆଧାତ୍ମିକ ଏବଂ ସାଂସ୍କୃତିକ ଜୀବନକୁ ଅଧିକ ରୁଦ୍ଧିମନ୍ତ କରିଥାଏ। ଏହାରି ଭିତରେ ହୋଲିପର୍ବ ଏକ ନିଆରା ଅନୁଭବ ଏବଂ ଅନୁରକ୍ତି ଆଣିଥାଏ। ବର୍ଷକୁ ଥରେ ଏହି ପର୍ବକୁ ସମସ୍ତେ ଅପେକ୍ଷା କରିଥାନ୍ତି। ବିଭିନ୍ନ ପ୍ରକାର ରଙ୍ଗରେ ପରସ୍ପରକୁ ରଙ୍ଗବୋଳିବା ବାସ୍ତବିକ ଆବେଗପୂର୍ଣ୍ଣ ଅନୁଭବ । ରାଜ୍ୟ କଳା ଓ ସଂସ୍କୃତି ସଂଘର ଉପ ସଭାପତି ଅବନୀ ମିଶ୍ର କୁହନ୍ତି, ମୋର ମନେପଡ଼େ ସେଦିନର ସେହି ହୋଲିଖେଳ କଥା। ସେତେବେଳେ ମୋର ବୟସ ପ୍ରାୟ ୧୨/୧୩ ବର୍ଷ ହୋଇଥାଏ। ସେହି ବର୍ଷ ହୋଲି ପାଇଁ ପୂର୍ବଦିନରୁ ମନ ଉଛନ ହେଉଥାଏ। ରାତି ପାହିଲେ ହୋଲିଖେଳ ହେବ। ସେଥିପାଇଁ ଘରେ ସାଇତା ହୋଇ ରହିଥିବା ପୁରୁଣା ପ୍ୟାଣ୍ଟ ଶାର୍ଟ ଖୋଜି ବାହାର କରିବାକୁ ବୋଉ ପଛେ ପଛେ ଘୂରୁଥାଏ। କିନ୍ତୁ ଘରର କାମ କରୁ କରୁ ବୋଉ ବେଳେ ବେଳେ ମୋ ଉପରେ ଚିଡ଼ିଯାଏ। ମାତ୍ର ପ୍ୟାଣ୍ଟ ଶାର୍ଟ ବୋଉ ମୋତେ ଖୋଜି ଦେବା ଯାଏ ଅଝଟ ହେଉଥାଏ। ଶୀଘ୍ର କେମିତି ରାତି ପାହିବ ସେଥିଯୋଗୁ ବାରମ୍ବାର ନିଦ ଭାଙ୍ଗି ଯାଉଥାଏ। ଆଉ ବଡ଼ି ଭୋରରୁ ତୁରନ୍ତ ନିତ୍ୟକର୍ମ ସାରି ରାତିରେ ତିଆରି ହୋଇ ରହିଥିବା ବାସି ପିଠା ସକାଳୁ ସକାଳୁ ଖାଇସାରିବା ପରେ ହୋଲିଖେଳିବାକୁ ବାହାରି ପଡ଼ୁଥିଲି। ପିଚକାରିରେ ରଙ୍ଗପାଣି ଧରି ସାହିଦାଣ୍ଡକୁ ବାହାରି ଯାଉଥିଲି । ପ୍ରଥମେ ସାଙ୍ଗସାଥୀ ପରସ୍ପର ମଧ୍ୟରେ ରଙ୍ଗରେ ରଙ୍ଗେଇ ହୋଇଯାଇଥାଉ। ହୋଲି ଖେଳିଖେଳି କେତେବେଳୁ ଆମସାହି ପାର ହୋଇ ଆରସାହି ରାସ୍ତାରେ ପହଞ୍ଚି ଯାଇଥାଉ । ରାସ୍ତାରେ ଯାଉଥିବା ଲୋକଙ୍କୁ ଧାଇଁଯାଇ ଅତର୍କିତ ଭାବେ ପିଚକାରି ମାରିଥିଲୁ। କିଏ କିଏ ରାଗି ଯାଆନ୍ତି ତ ପୁଣି କିଏ କିଏ ସ୍ନେହଭରା ହସଟିଏ ହସିଦେଇ ଚାଲି ଯାଆନ୍ତି। ଅବଶ୍ୟ ସେତେବେଳେ ରାସ୍ତାରେ ଏତେ ଗାଡ଼ିମୋଟର ଯାଉ ନ ଥାଏ। କେହିକେହି ସାଇକେଲରେ ତ ପୁଣି କେହି ଚାଲିକି ଯା’ଆସ କରୁଥାନ୍ତି। ଏମିତି ଖେଳରେ ସେଦିନ ସାଙ୍ଗମାନେ ଶାର୍ଟକୁ ବି ଚିରାଚିରି କରିଦେଇଥାନ୍ତି। ଘରକୁ ଫେରିବା ପରେ ବୋଉ କେତେ ଗାଳି ଦିଏ। ସେ ସାବୁନ ଦିଏ ପୁଣି ଦେହରୁ ରଙ୍ଗ ଛଡ଼ାଇ ଗାଧୋଇ ଦିଏ। କେହି କେହି ପୋଖରୀ, ନଦୀକୁ ଗାଧୋଇବାକୁ ଯାଇଥାନ୍ତି। ଆମର ଖେଳ ସରିଯାଇଥାଏ । ଆଉ ଖରାବେଳଟାରେ ବହୁତ ଲୋକ ବଜାର ରାସ୍ତା ଦେଇ ନାଚଗୀତରେ ହୋଲି ଖେଳିଖେଳି ମିଛି ମିଛିକା କୋକେଇରେ ହୋଲିକା ଅସୁରୁଣୀକୁ କାନ୍ଧେଇ ବୁଲିଥାନ୍ତି। ଏପରି ନାଚଗୀତ ଦେଖିବାକୁ ସ୍ତ୍ରୀଲୋକମାନେ ଘର ଭିତରେ ଲୁଚିଲୁଚି ଝରକା ଫାଙ୍କରେ ଅନେଇଥାନ୍ତି। ହୋଲି ଖେଳବେଳେ ଯଦି କାହା ସହିତ ଟିକେ ମନୋମାଳିନ୍ୟ ହୋଇଥାଏ ସେ ସବୁକୁ ନେଇ କେହି ଆକ୍ରୋଶଭାବ ରଖି ନ ଥାନ୍ତି। ସାଙ୍ଗମାନଙ୍କ ଦେହରେ ଲାଗିଥିବା ହୋଲି ରଙ୍ଗ ଗାଧୋଇବାରେ ଯଦି ଭଲରେ ଛାଡ଼ି ନ ଥାଏ ତେବେ ସେହି ସାଙ୍ଗମାନେ ସନ୍ଧ୍ୟାବେଳେ ଏକାଠି ହେଲେ ରଙ୍ଗ ଦେଖେଇ ହୁଅନ୍ତି । ହେଲେ ସେଦିନର ହୋଲି ଖେଳ ଆଉ ସେଭଳି ନାହିଁ। ଏବେ ଅଧିକାଂଶ ରାସାୟନିକ ରଙ୍ଗ ପରି ମଣିଷ ମନରେ ଅହଂକାର ଆଉ କ୍ରୋଧ ଯୋଗୁ ମନଠାରୁ ମନକୁ ସତେ ଯେମିତି ଦୂରେଇ ଦେଉଛି।
ରଙ୍ଗ ଲଗାଇବାର ଖୁସିରେ ଲୁହ ବୋହି ଆସେ: ସାମାଜିକ, ସାଂସ୍କୃତିକ ଏବଂ ପାରମ୍ପରିକ ବନ୍ଧନରେ ହୋଲିପର୍ବ କେଉଁକାଳୁ ମଣିଷକୁ ପ୍ରଭାବିତି କରିଆସିଛି। ତେବେ ହୋଲିରେ ରଙ୍ଗଖେଳକୁ ନେଇ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର କୁହନ୍ତି, ବାହାରେ ସେତେବେଳେ ହୋଲିରେ ରଙ୍ଗ ଖେଳିବାକୁ ବାପା ବାରଣ କରୁଥିଲେ। ଏଥିପାଇଁ ଘରେ କେତେଜଣ ଆତ୍ମୀୟ ସ୍ବଜନଙ୍କ ସହିତ ହୋଲିରେ ଅବିର ଖେଳିଥିଲି। ସମୟକ୍ରମ ବାପାଙ୍କ ଦେହାନ୍ତ ଘଟିଲା। କିନ୍ତୁ କଟକରେ ରହିଲା ବେଳେ ହୋଲିରେ ସାଙ୍ଗମାନେ ଘରକୁ ଆସନ୍ତି । ଏଥିଯୋଗୁ ପରସ୍ପର ଘରକୁ ଯାଇଥାଉ। ସେମାନଙ୍କ ସହିତ ଅନ୍ୟ ନୂଆବନ୍ଧୁମାନେ ବି ସାମିଲ ହୋଇଥାନ୍ତି। ଯେଉଁ ସାଙ୍ଗମାନଙ୍କ ସହିତ ବ୍ୟସ୍ତତା ଯୋଗୁ ପୂର୍ବରୁ ସମୟ ଦେଇପାରି ନ ଥାଏ, ଏଥିପାଇଁ ସେମାନେ କୁହନ୍ତି ତମକୁ ପରା ସମୟ ମିଳୁ ନ ଥିଲା ଏବେଳରେ କେମିତି ଆସିଲ। ସତରେ ସେ ଅନୁଭୂତି ନିଆରା। ରଙ୍ଗ ଲଗାଇବାର ଖୁସିରେ ଲୁହ ବୋହି ଆସେ। ସବୁ ମାନଅଭିମାନ କୁଆଡ଼େ ଚାଲିଯାଏ। ଏମିତିରେ ଟି .ସୌରୀ, ଶୁଭାଶିଷ ମହାକୁଡ଼, ଶକ୍ତି ତ୍ରିପାଠୀ, ଦିପ୍ତୀ ଦାସ, ଗାୟତ୍ରୀ ଓ ମନିଭାଇଙ୍କ ସହିତ ହୋଲି ଖେଳିଛି । ଗୁରୁଜନଙ୍କ ପାଦଛୁଇଁ ହୋଲିରେ ରଙ୍ଗ ଦେଇଛି। ହୋଲିରେ ନାଚିବା, ଖେଳିବା, ଗୀତ ଗାଇବା , ଭୋଜି ଖାଇବା ଓ ପଣା ପିଇବା ସହିତ ନୂଆନୂଆ ବନ୍ଧୁ ଯୋଡ଼ିହୋଇଥାନ୍ତି। ସମସ୍ତେ ମିଶି ଖୁସିମନାନ୍ତି। ପ୍ରାୟ ୨ବର୍ଷ ହେବ କରୋନା ଯୋଗୁ ସେସବୁରେ ଅବଶ୍ୟ ଟିକେ ବ୍ୟତିକ୍ରମ ଘଟିଛି। ଲାଗୁଛି ସବୁ ଠିକ୍ହୋଇ ଯିବ। ଚଳିତ ବର୍ଷ ନିଜ ଭିତରେ ଖୁସି କରିବାକୁ ହେବ। ଯଦି ହୋଲିପର୍ବଦିନ କେଉଁଠାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିଥାଏ। ସେଠାରେ ଶ୍ରଦ୍ଧାରେ ହୁଏତ ହୋଲି ପାଇଁ କେହି ଜଣା ଅଜଣା ବନ୍ଧୁଙ୍କ ସହିତ ରଙ୍ଗ ଓ ଅବିର ଖେଳ ମୋ ପାଇଁ ସ୍ମୃତି ହୋଇ ରହିବ।
ରଙ୍ଗ ଖେଳିବାକୁ ଭୟ ଲାଗୁଥିଲା: ହୋଲିରେ ରଙ୍ଗ ଖେଳର ନିଆରା ଅନୁଭୂତିକୁ ନେଇ ଅବସରପ୍ରାପ୍ତ ଶୈକ୍ଷିକ ଅଧିକାରୀ, ଓଡ଼ିଆ ବିଷୟ ବିଶେଷଜ୍ଞ ଡକ୍ଟର ମୀନାକ୍ଷୀ ଦାସ କୁହନ୍ତି, ପିଲାଦିନେ ହୋଲି କ’ଣ ଜାଣିବା ପୂର୍ବରୁ ଏକ ଅଦ୍ଭୁତ ଘଟଣା ମୋ ଦୃଷ୍ଟିରେ ପଡ଼ିଲା। ତାହା ଅଦ୍ୟାବଧି ବୁଝି ହେଉ ନ ଥିଲେ ହେଁ ଅନ୍ତର୍ମନରେ ଏକ ଅଜଣା ଭୟ ସଞ୍ଚାର କରିଦେଲା। ସେତେବେଳେ ମୋର ବୟସ ପ୍ରାୟ ୫/୬ହେବ। ସେଦିନ ଥାଏ ହୋଲି ପର୍ବ । ମୁଁ ବାପାଙ୍କ ପାଖରେ ଭୁବନେଶ୍ୱର ୬ ନମ୍ବର ଅଞ୍ଚଳର ଏକ ସରକାରୀ କ୍ୱାର୍ଟରରେ ରହୁଥିଲି। ବାପା ବାରଣ୍ଡାରେ ବସି ଦାଢି କାଟୁଥାନ୍ତି। କିଛି ସମୟ ପରେ ତାଙ୍କର କେତେଜଣ ସାଙ୍ଗ ଓ ପଡ଼ୋଶୀ ବନ୍ଧୁମାନେ ରଙ୍ଗର ବିକୃତ ଚେହେରା ନେଇ ଆସିଲେ । ବାପାଙ୍କୁ କହିଲେ ବୃନ୍ଦାବନବାବୁ ଆସନ୍ତୁ ଯିବା । କିନ୍ତୁ ବାପା କହିଲେ ମୋତେ ରଙ୍ଗବୋଳି ଆପଣମାନେ ଯାଆନ୍ତୁ, ମୋର ଟିକେ କାମ ଅଛି। ସେମାନେ କିନ୍ତୁ ନଛୋଡ଼ବନ୍ଦା । କିନ୍ତୁ କିଛି କ୍ଷଣପରେ ବାପାଙ୍କୁ ସମସ୍ତେ ଟାଣିଟାଣି ନେଇ କଳା, ନାଲି ଓ ନେଳି ରଙ୍ଗ ବୋଳିବା ସହିତ ସାଥିରେ ନେଇଗଲେ। ମୁଁ ରଡ଼ି ଛାଡ଼ି ଘରେ ମା’ଙ୍କ ପାଖକୁ ଦୌଡ଼ି ଆସିଲି। ସେ ବୁଝାଇ କହିଲେ, ବାପା ଆଉ ଟିକେ ପରେ ଆସିବେ, ମୁଁ କିନ୍ତୁ କହିଲି ସେମାନେ ବାପାଙ୍କ ମୁହଁ ଖରାପ କରିଦେଲେଣି । ହେଲେ ମା’ କହିଲେ ସେସବୁ ଠିକ୍ ହୋଇଯିବ। ତୁ ଚିନ୍ତା କରନା । କିନ୍ତୁ ଟିକିଏ ଆଶ୍ୱସ୍ତ ହେବାର କିଛି ସମୟ ପରେ ପୁଣି ଦଳେ ସ୍ତ୍ରୀଲୋକ ଆସି ଆମ କବାଟ ବାଡ଼େଇ ମିନୁବୋଉ ମିନୁବୋଉ କବାଟ ଖୋଲ। ସେତେବେଳେ ଆମେ ଭାଇ ଭଉଣୀ ବୋଉ ପାଖରେ ରହିଥାଉ। ମା’ ସେମାନଙ୍କ ପାଟିଶୁଣି ତରତର ହୋଇ ଘରେ ସାଦାଲୁଗା ଖଣ୍ଡେ ପିନ୍ଧି ଦାଣ୍ଡଘରେ ଠିଆହେଲେ। କବାଟ ଖୋଲିଦେବାରୁ ସେମାନେ ଢାଳରେ ନାଲିନେଳି ରଙ୍ଗପାଣି ଆଣିଥାନ୍ତି। ହାତରେ କିଛିଟା କଳା ରଙ୍ଗ ଓ ଢାଳପାଣିକୁ ତାଙ୍କ ମୁଣ୍ଡରେ ଢାଳିଦେଇ ଚାଲିଗଲେ। ମାତ୍ର ରଙ୍ଗ ପ୍ରତି ମୋର କେମିତି ଏକ ଘୃଣାଭାବ ଆସିବାରୁ ମୁଁ ମନେମନେ ଭାବିନେଲି ଆଜି ମା’ କି ବାପାଙ୍କ ହାତରେ ଖାଇବି ନାହିଁ। ମୋର ଜଣେ ମାଉସୀ ଥିଲେ ତାଙ୍କ ପାଖକୁ ଚାଲିଗଲି। ମାତ୍ର ଝରକା ଖୋଲି ମାଉସୀ ଶୋଇଥିବାରୁ ନାଲି ରଙ୍ଗ ପାଣି କିଛି ଛିଟା ତାଙ୍କ ସାଥିରେ ଥିବା ଛୁଆ ଉପରେ ପଡ଼ିଥିଲା । ମାଉସୀ ସେହି ରଙ୍ଗକୁ ପୋଛି କାନିରେ ହାତ ପୋଛି ଦେଲେ । ତେଣୁ ମାଉସୀଙ୍କ ହାତରୁ ଖାଇବା ଆଶା ମଧ୍ୟ ମଉଳିଗଲା। ସେଦିନ ବହୁ ସମୟ ଯାଏ ଉପାସ ଥିଲି । କିନ୍ତୁ ପିଲାଦିନେ ଅବଚେତନ ମନରେ ପଶିଯାଇଥିବା ଭୟ କାରଣରୁ ଏବେ ବି ମୁଁ ରଙ୍ଗ ଖେଳିବାକୁ ଭୟ କରେ। କିନ୍ତୁ ପ୍ରାକୃତିକ ପଳାଶ ଫୁଲର ରଙ୍ଗ ଦେହପାଇଁ ହିତକର ଜାଣିବା ପରେ ସେଥିରେ ସପରିବାର ହୋଲି ଖେଳୁଛୁ। ଗୁରୁଦ୍ୱାର ଓ ଆଶ୍ରମରେ ହୋଲି ଖେଳର ମଜା ନେଇଥାଏ। ଯାହା ହେଉ ହୋଲି ଆମ ପରମ୍ପରାର ଏକ ବିଶେଷ ଉତ୍ସବ। ଭ୍ରାତୃତ୍ୱ ଭାବନାର ଏକ ନିଚ୍ଛକ ପରିପାଟୀ କହିଲେ ଅତ୍ୟୁକ୍ତି ହେବ ନାହିଁ।
ସେଦିନର ହୋଲି ଚଳଚ୍ଚିତ୍ର ଦୃଶ୍ୟ ପରି ଲାଗେ: ନାଟ୍ୟଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ କୁହନ୍ତି, ଅନୁଷ୍ଠାନ ତରଫରୁ ଆରମ୍ଭରୁ ହିଁ ପ୍ରତିବର୍ଷ ହୋଲି ପାଳନ କରିଆସୁଛୁ। କାରଣ ନାଟକ ଏକ ସାମୂହିକ କଳା। ଏଥିସହିତ ଅନ୍ତରଙ୍ଗ ଭାବ ସୃଷ୍ଟିକରିଥାଏ। ସେହିପରି ହୋଲି ଦିନ ଚିହ୍ନା ଅଚିହ୍ନା ପରସ୍ପରକୁ ଛୁଇଁ ପାରୁ । ଜଣେ ମଣିଷ ଅନ୍ୟକୁ ଛୁଇଁବା ଦ୍ୱାରା ମନରେ ସାହସ, ବିଶ୍ୱାସ, ସମର୍ଥନ ଓ ଆଶୀର୍ବାଦ ମିଳିଥାଏ। ହୋଲିରେ ଆମେ ଗୁରୁଜନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥାଉ। ମାତ୍ର ପିଲାଦିନେ ଆମ ଗାଁରେ ରାଧାକୃଷ୍ଣ ମନ୍ଦିରଠାରେ ଫଗୁଦଶମୀ ଦିନ ସପରିବାର ମଧ୍ୟରେ ହୋଲିଖେଳ ହୁଏ। ପରିବାରର ଯିଏ ଯେଉଁଠି ଥିଲେ ଏହି ଦିନ ଗାଁକୁ ଫେରିଥାନ୍ତି । ଏହି ଅବସରରେ ପରସ୍ପର ମଧ୍ୟରେ ଗୋଟିଏ ଦିନରେ ଭେଟ ହୋଇଥାଏ। ଆମ ଗାଁ ପୁରୀ ଜିଲାର ଡେଲାଙ୍ଗ ଉଦୟପୁରରେ। ଏଠାରେ ହୋଲିଦିନ ଏକ ଭୋଜି ହୁଏ । ସେଦିନର ହୋଳି ଖେଳ ପରି ଆଜିକାଲି ହୁଏତ ସେଭଳି ଅତ୍ମୀୟତାବୋଧ ବାରି ହେଉନାହିଁ। କେଉଁଠି ନା କେଉଁଠି କିଛି ଭୟ ଥିଲାପରି ମନେହେଉଛି। ସେତେବେଳେ ହୋଲି ଖେଳରେ ଖୁବ୍ ଆଧ୍ୟାତ୍ମିକ ଭାବ ଆସୁଥିଲା। ଏବେ ଖାଲି ରଙ୍ଗଲଗା ଏକ ଦୈହିକ ହୋଇଯାଉଛି। ସେଦିନର ହୋଲିରେ ଖୁସି ବିଶ୍ୱାସ ଭରି ରହିଥିଲା। ମୋ ମନେପଡ଼ୁଛି ଜଣେ ଭଦ୍ର ମହିଳା ଇଂଲଣ୍ଡରୁ ଆସିଥିଲେ, ସେ ପ୍ରାଚୀରେ ରହୁଥିଲେ। ସେଦିନ ହୋଲି ଥିବାରୁ ତାଙ୍କୁ ବାହାରକୁ ନ ବାହାରିବାକୁ ଅନେକେ ମନାକରିଥିଲେ। ତେବେ ମୁଁ ଦୃଢ଼ତା ଓ ଆତ୍ମବିଶ୍ୱାସର ସହିତ ତାଙ୍କୁ ମୋ ସାଥିରେ ହୋଲିଖେଳରେ ବୁଲାଇଥିଲି । ସେ ମୁକ୍ତରେ ହୋଲିରେ ରଙ୍ଗ ଖେଳି ଖୁସି ହୋଇଥିଲେ। ତାଙ୍କ ମନରେ କୌଣସି ବିରକ୍ତି କି କ୍ରୋଧ ନ ଥିଲା। ସେ ଏତେ ଖୁସି ହୋଇପଡ଼ିଥିଲେ ଯେ ଆମଦେଶର ଏହି ପର୍ବକୁ ବହୁତ ପ୍ରଶଂସା କରିବା ସହିତ ମୋ ପ୍ରତି ଅତ୍ୟନ୍ତ ଖୁସିହୋଇଥିଲେ। ସେ କହିଲେ, ଆମ ଦେଶରେ କେହି କାହାରିକୁ ବିନା ସ୍ବୀକୃତିରେ ଛୁଇଁବା ବାରଣ ରହିଛି । ତେବେ ଏହି ପର୍ବରେ ସମସ୍ତେ ହୋଲି ଖେଳିବାରେ ପରସ୍ପରକୁ ଛୁଇଁବାରେ ଖୁସି ଅଛନ୍ତି। ଏହା ସବୁଦିନ ମନେରହିବ। ଗାଁରେ ଖେଳିବା ବେଳେ ଆମ ଗ୍ରାମରେ ଏକ ପୋଖରୀ ଥାଏ। ହୋଲି ଖେଳ ପରେ ସମସ୍ତେ ସେଠାକୁ ଗାଧୋଇବାକୁ ଯାଇଥାନ୍ତି। ମାତ୍ର ଗାଁରେ ଥିବା ବିଭିନ୍ନ ଜଳଖିଆ ଓ ପାନ କି ଗ୍ରସେରି ଦୋକାନୀଙ୍କଠାରୁ ମାଗଣାରେ ସାବୁନ ମିଳିଥାଏ। ସେମାନଙ୍କଠାରୁ ସାବୁନ ନେଇ ଗାଧୋଇ ହୋଲିର ରଙ୍ଗକୁ ଧୋଇଥାଉ। କିନ୍ତୁ ସେଦିନ ହୋଲି ମନେପଡ଼ିଲେ ଚଳଚ୍ଚିତ୍ର ଦୃଶ୍ୟ ପରି ଲାଗେ।
ସେଦିନ ହୋଲି ନ ଖେଳି ରଙ୍ଗିନ ହୋଇଥିଲି: ହୋଲି କେବେ ଗାଁରେ ତ ପୁଣି କେବେ ମାମୁଘର ଗାଁରେ ଆଉ କେବେ ଅନ୍ୟସ୍ଥାନରେ ପାଳନ କରିଥିବା ଅନୁଭୂତିକୁ ନେଇ ସହନିର୍ଦ୍ଦେଶକ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ର କୋଲକାତା, ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ଡ. ତାପସ ସାମନ୍ତରାୟ କୁହନ୍ତି, ପିଲାଦିନେ ପ୍ରତିବର୍ଷ ହୋଲିକୁ ମାମୁଘର ଗାଁକୁ ଯାଇଥାଏ। ସେତେବେଳେ ୫ମ ଶ୍ରେଣୀରେ ପଢୁଥାଏ । ମାମୁଘର ଖୋର୍ଦ୍ଧାର ପଲ୍ଲା ଅଞ୍ଚଳ। ହୋଲି ପୂର୍ବ ଦିନ ଏଠାରେ ରାଧାକୃଷ୍ଣ ଦୋଳରେ ବୁଲନ୍ତି। ରାତିରେ ଚାଚେରୀ ଭୋଗ ଖାଆନ୍ତି । ଦୋଳରେ ଠାକୁର ବୁଲୁଥିବାବେଳେ ଆମେ ସଂକୀର୍ତ୍ତନ ଦଳରେ ନାଚିନାଚି ପଟୁଆର ଭିତରେ ଚାଲିଥାଉ। ଜହ୍ନ ରାତି ମାମୁଘର ଗାଁମୁଣ୍ଡ ପାରହୋଇ କେତେବେଳୁ ଅନ୍ୟ ଗାଁରେ ଆସି ପହଞ୍ଚି ଯାଇଥାଉ । ଏଠାରେ ଦୋଳ ମେଳଣ ହେଉଥିବାରୁ ଅନ୍ୟ ଗାଁର ଲୋକମାନଙ୍କ ଭିତରେ ମୁଁ ଏବଂ ମୋର ସାଙ୍ଗ ବାବୁ ରହିଯାଇଥାଉ। ମାମୁଘର ଗାଁଲୋକଙ୍କୁ ସେଠାରେ ଆଉ ପାଇଲୁ ନାହିଁ । ଏହି ସମୟରେ କ’ଣ କରିବୁ କୁଆଡ଼େ ଯିବୁ ଏମିତି ଚିନ୍ତା ଘାରିଲା। କିଛିସମୟ ପରେ ଦୁଇ ସାଙ୍ଗ ମିଶି ହାତ ଧରାଧରି ହୋଇ ସେହି ଜହ୍ନ ରାତିରେ ମାମୁଘର ଗାଁ ରାସ୍ତା ଅଭିମୁଖେ ଦୌଡ଼ିଥିଲୁ। କିଛିଦୂର ଆସିଲାପରେ ଏକ ମଶାଣି ପଡ଼ିଲା । ଆମକୁ ଦେଖି ସେଠାରେ କେତୋଟି କୁକୁର ଭୁକିଥିଲେ । ଏଥିଯୋଗୁ ଆମେ ଟିକେ ଡରିଯାଇ ଚୁପଚାପ ଠିଆହୋଇପଡ଼ିଲୁ। ତା’ ପରେ କୁକୁର ପଳାଇବାରୁ ପୁଣି ଦୌଡ଼ିବା ଆରମ୍ଭ କରି ମାମୁଘରେ ପହଞ୍ଚିଥିଲୁ। ସେହି ରାତିରେ ମୋତେ ଜ୍ୱର ହୋଇଯାଇଥିଲା। ସକାଳେ ହୋଲି ମାତ୍ର ମଶାଣିଠାରେ ରାତିରେ ଡରିଥିବି ବୋଲି ମୋ ଆଈ ଜଣେ ଗୁଣିଆଙ୍କୁ ଡାକି ମୋତେ ଝଡ଼ାଫୁଙ୍କା କରାଇଥିଲେ । କିନ୍ତୁ ସେଦିନ ହୋଲି ରଙ୍ଗରେ ଅନ୍ୟମାନେ ରଙ୍ଗିନ ହୋଇଥାନ୍ତି। ମୋତେ ଧରି ବସିଥିବା ଜଣେ ସମ୍ପର୍କୀୟ ଅଜା ତାଙ୍କ ମୁଣ୍ଡରେ ବହୁତ ଫଗୁ ପଡ଼ିଥାଏ । କିନ୍ତୁ ତାଙ୍କ ଦେହରୁ କିଛି ଫଗୁ ଓ ରଙ୍ଗ ମୋ ଦେହରେ ଲାଗି ଯାଇଥିଲା। ଜ୍ୱରରେ ଥିଲେ ବି ସେଦିନ ହୋଲି ନ ଖେଳି ରଙ୍ଗିିନ ହୋଇଥିବା ମନେପଡ଼େ।
ଏବେ ଉପର ଠାଉରିଆ ଭାବେ ହୋଲି ଖେଳୁଛୁ: ପ୍ରତିବର୍ଷର ହୋଲିଖେଳକୁ ନେଇ ଭିନ୍ନ ଭିନ୍ନ ଅନୁଭୂତି ରହିଛି। ସେଦିନର ହୋଲି ରଙ୍ଗକୁ ନେଇ କଣ୍ଠଶିଳ୍ପୀ ସୁବାସ ରାମ କୁହନ୍ତି, ପ୍ରାୟ ୧୧/୧୨ବର୍ଷର ହୋଇଥାଏ। ରଙ୍ଗ ଖେଳିିବାକୁ ପ୍ରତିବର୍ଷ ହୋଲିକୁ ଅପେକ୍ଷା କରିଥାଉ। ସେଥିପାଇଁ ସାଙ୍ଗମାନେ ହୋଲି ଖେଳର ପ୍ରାୟ ୧୫ଦିନ ପୂର୍ବରୁ ଗାଁର ବିଭିନ୍ନ ସ୍ଥାନରେ ଥିବା ପଳାଶ ଫୁଲକୁ ସଂଗ୍ରହକରି ଏକ ମାଟିହାଣ୍ଡିରେ ଫୁଟାଇ ସେଥିରୁ ରଙ୍ଗ ପ୍ରସ୍ତୁତ କରଥାନ୍ତି। ହୋଲିର ପୂର୍ବଦିନ ଦୋଳ, ଠାକୁରଙ୍କ ମେଳରେ ଗାଁଗାଁ ବୁଲି ଅବିର ଖେଳିଥାଉ। ମାତ୍ର ହୋଲି ଦିନ ସକାଳୁ ସକାଳୁ ଘରେ ଅଳ୍ପ କିଛି ଖାଇ ଦେଇ ସାଙ୍ଗମାନେ ଏକାଠି ହୋଇଥାଉ । ବାଲ୍ଟିରେ ରଙ୍ଗପାଣି । ହାତରେ ବାଉଁଶ ତିଆରି ପିଚକାରି। ପରସ୍ପର ମଧ୍ୟରେ ରଙ୍ଗ ଖେଳ ଚାଲେ । ପୁଣି ଖେଳିଖେଳି ଥକି ଗଲେ ଯିଏ ଯାହା ପଣାପାଣି ଦିଅନ୍ତି ପଇିଦେଇଥାଉ। ଥରେ ଗାଁରେ ସାଙ୍ଗ ଝିଅମାନଙ୍କ ସହିତ ହୋଲି ରଙ୍ଗକୁ ନେଇ ଅନ୍ୟମାନେ କଥା ଉଠାଇଥିଲେ, ମାତ୍ର ଝିଅମାନେ କହିଲେ ଆମେ ପରସ୍ପର ଖୁସିରେ ଖେଳୁଛୁ। ଏଥିରେ ସେହି ସାଙ୍ଗ ଟିକେ ମନଖରାପ କରିଥିଲା। ହେଲେ ପଣା ପିଇବା ବେଳେ ସମସ୍ତ ରାଗରୁଷା ଭୁଲି ଖୁସି ମନାଇଥିଲୁ। ଆଉ କେହି ଝିଅ ସାଙ୍ଗ କୁହନ୍ତି, ଅଳ୍ପ ଟିକେ ରଙ୍ଗ ମାରନ୍ତୁ ମାତ୍ର ଆମେ ବହୁତ ରଙ୍ଗମାରି ଖୁସି ହେଉଥିଲୁ। ପରସ୍ପର ମଧ୍ୟରେ ସୁସମ୍ପର୍କ ନିବିଡ଼ ହେଉଥିଲା। ଏବର ହୁଏତ ଉପର ଠାଉରିଆଭାବେ ହୋଲି ଖେଳୁଛୁ। ଆଉ ସେଦିନ ହୋଲି ପରି ସେମିତି ମଜା ନେଇ ହେଉନି। ଯାହା କେବଳ ବିଧି ପାଳନରେ ସାରୁଛୁ। ହୋଲିର ଅନୁଭୂତି ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ। ମାତ୍ର ହୋଲିରେ ନ ଥାଏ ଭେଦଭାବ, ବଢ଼ିଥାଏ ବନ୍ଧୁତ୍ୱ ଓ ଭାଇ ଚାରାର ସମ୍ପର୍କ ।
-ବନବିହାରୀ ବେହେରା